ଟି-୨୦ ବିଶ୍ୱକପ: ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ପାକିସ୍ତାନ | News Room Odisha

ଟି-୨୦ ବିଶ୍ୱକପ: ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ପାକିସ୍ତାନ

ସିଡନୀ: ଟି-୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ୭ ଓ୍ବିକେଟରେ ହରାଇ ପାକିସ୍ତାନ ଫାଇନାଲରେ ପ୍ରବେଶ କରିଛି । ବୁଧବାର ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ସେମିଫାଇନାଲରେ ପାକିସ୍ତାନ ସବୁ ବିଭାଗରେ ଚମତ୍କାର ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡକୁ ଧରାଶାୟୀ କରିଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୪ ଓ୍ବିକେଟରେ ୧୫୨ ରନ୍ କରିପାରିଥିଲା । ଏହାର ଜବାବରେ ଅଧିନାୟକ ବାବର ଆଜମ ଓ ମହମ୍ମଦ ରିଜଓ୍ବାନଙ୍କ ମଧ୍ୟରେ ଶତକୀୟ ଭାଗିଦାରୀ ବଳରେ ପାକିସ୍ତାନ ୫ଟି ବଲ୍ ବାକି ଥାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା । ଫାଇନାଲରେ ପାକିସ୍ତାନର ମୁକାବିଲା ଭାରତ-ଇଂଲଣ୍ଡ ସେମିଫାଇନାଲର ବିଜେତା ସହ ହେବ ।

ଟୁର୍ଣ୍ଣାମେଣ୍ଟ ଆରମ୍ଭରେ ଫେଲ୍ ମାରିଥିବା ବାବର ଆଜାମ ଠିକ୍ ସମୟରେ ଫର୍ମକୁ ଫେରି ୪୨ ବଲରେ ୭ଟି ଚୌକା ସହ ୫୩ ରନ୍ କରିଥିବା ବେଳେ ରିଜୱାନ୍ ୪୩ ବଲରେ ୫ଟି ଚୌକା ସହ ୫୭ ରନ୍ କରିଥିଲେ। ଉଭୟ ପ୍ରଥମ ଓ୍ବିକେଟରେ ୧୦୫ ରନର ଭାଗିଦାରୀ କରି ପାକିସ୍ତାନର ବିଜୟ ପଥ ସୁଗମ କରିଥିଲେ |

ପାକିସ୍ତାନ ୧୩ ବର୍ଷ ପରେ ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି। ଶେଷ ଥର ପାଇଁ ଦଳ ୨୦୦୯ ସଂସ୍କରଣର ଫାଇନାଲକୁ ଉନ୍ନୀତ ହୋଇଥିଲା ଏବଂ ଟାଇଟଲ ମଧ୍ୟ ଜିତିଥିଲା |