ହାଫିଜ ସଇଦକୁ ଭାରତ ହସ୍ତାନ୍ତର କରିବାକୁ ମନାକଲା ପାକିସ୍ତାନ, ଦର୍ଶାଇଲା ଏହି କାରଣ | News Room Odisha

ହାଫିଜ ସଇଦକୁ ଭାରତ ହସ୍ତାନ୍ତର କରିବାକୁ ମନାକଲା ପାକିସ୍ତାନ, ଦର୍ଶାଇଲା ଏହି କାରଣ

ନୂଆଦିଲ୍ଲୀ: ସମସ୍ତ ଆବଶ୍ୟକ ପ୍ରମାଣ ସହ ଭାରତ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଲସ୍କର-ଏ-ତଇବା ମୁଖିଆ ହାଫିଜ ସଇଦକୁ ପ୍ରତ୍ୟର୍ପଣ ପାଇଁ ପାକିସ୍ତାନକୁ ଅନୁରୋଧ କରିଥିଲା । ହେଲେ ଭାରତର ଅନୁରୋଧକୁ ଖାରଜ କରିଦେଇଛି ପାକିସ୍ତାନ । ଭାରତ ସହ କୌଣସି ଦ୍ୱିପାକ୍ଷିକ ପ୍ରତ୍ୟର୍ପଣ ଚୁକ୍ତି ନଥିବାରୁ ହାଫିଜ୍ ସଇଦକୁ ଆମେ ପ୍ରତ୍ୟର୍ପଣ କରିବା ସମ୍ଭବ ନୁହେଁ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ କହିଛି ।
ତେବେ ପାକିସ୍ତାନର ଏଭଳି ବାହାନାରେ ବିଶେଷଜ୍ଞମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି, ଏଭଳି ଚୁକ୍ତି ହୋଇନଥିଲେ ମଧ୍ୟ ପ୍ରତ୍ୟର୍ପଣ ସମ୍ଭବ। ସଇଦ ନେତୃତ୍ୱାଧୀନ ଜମାତ-ଉଦ-ଦାୱା (ଜେୟୁଡି) ହେଉଛି ଲସ୍କର-ଇ-ତଇବାର ଏକ ଛାମୁଆ ସଂଗଠନ | ୨୦୦୮ ମୁମ୍ବାଇ ଆକ୍ରମଣରେ ଲସ୍କର-ଇ-ତଇବାର ହାତ ଥିଲା । ଏହି ଆକ୍ରମଣରେ ୬ ଜଣ ଆମେରିକୀୟ ନାଗରିକଙ୍କ ସହ ୧୬୬ ଜଣଙ୍କର ମୃତ୍ୟୁ ହୋଇଥିଲା ।
ମୁମ୍ବାଇ ଆକ୍ରମଣ ସହ ଅନେକ ଆତଙ୍କବାଦୀ ମାମଲାରେ ଓ୍ବାଣ୍ଟେଡ୍ ହାଫିଜ ସଇଦର ପ୍ରତ୍ୟର୍ପଣ ପାଇଁ ଭାରତ ଆନୁଷ୍ଠାନିକ ଅନୁରୋଧ ପଠାଇଛି ବୋଲି ପାକିସ୍ତାନ ଶୁକ୍ରବାର ସ୍ପଷ୍ଟ କରିଥିଲା ।  ଜାତିସଂଘ ଦ୍ୱାରା ଆତଙ୍କବାଦୀ ଘୋଷିତ ସଇଦ ହେଉଛି ଲସ୍କର-ଏ-ତାଇବାର ପ୍ରତିଷ୍ଠାତା।