ଭାରତର ୨୦ ମତ୍ସ୍ୟଜୀବୀଙ୍କୁ ଛାଡ଼ିଲା ପାକିସ୍ତାନ | News Room Odisha

ଭାରତର ୨୦ ମତ୍ସ୍ୟଜୀବୀଙ୍କୁ ଛାଡ଼ିଲା ପାକିସ୍ତାନ

ଇସଲାମାବାଦ: ଭାରତର ୨୦ ମତ୍ସ୍ୟଜୀବୀଙ୍କୁ ଛାଡ଼ିବାକୁ ପାକିସ୍ତାନ ରାଜି ହୋଇଛି। ଆଜି ଏହି ମତ୍ସ୍ୟଜୀବୀଙ୍କୁ ପାକିସ୍ତାନୀ ସେନା ୱାଗା ସୀମାରେ ଭାରତୀୟ ସେନାକୁ ହସ୍ତାନ୍ତର କରିବେ। ବେଆଇନ ଭାବେ ପାକିସ୍ତାନୀ ଜଳସୀମା ଭିତରକୁ ପ୍ରବେଶ କରିବା ପରେ ଏହି ମତ୍ସ୍ୟଜୀବୀମାନେ ପାକିସ୍ତାନ ଦ୍ୱାରା ଗିରଫ ହୋଇଥିଲେ। ସେମାନଙ୍କୁ କରାଚିର ଲାନ୍ଧି ଜେଲରେ ରଖାଯାଇଥିଲା।

ଡିଏସପି ଅଜିମ୍ ଥିବୋ କହିଛନ୍ତି ଯେ ୨୦ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିବା ପରେ ଏବେ ଆଉ ୫୬୮ ଜଣ ଭାରତୀୟ ମତ୍ସ୍ୟଜୀବୀ ଜେଲରେ ଅଛନ୍ତି। ଏହି ସମସ୍ତ ମତ୍ସ୍ୟଜୀବୀଙ୍କୁ ଭାରତୀୟ ସୀମା ସୁରକ୍ଷା ବାହିନୀକୁ ହସ୍ତାନ୍ତର କରାଯିବ। ଏହା ବ୍ୟତୀତ ପ୍ରତ୍ୟେକ ମତ୍ସ୍ୟଜୀବୀଙ୍କୁ ପାଞ୍ଚ ହଜାର ଟଙ୍କା ପ୍ରଦାନ କରାଯିବ।

ସୂଚନାଯୋଗ୍ୟ, ଚଳିତ ବର୍ଷ ପ୍ରାରମ୍ଭରେ ଭାରତ ଏବଂ ପାକିସ୍ତାନ ଦ୍ୱାରା ବିନିମୟ ହୋଇଥିବା ବନ୍ଦୀମାନଙ୍କ ତାଲିକା ଅନୁଯାୟୀ ପାକିସ୍ତାନରେ ଅତି କମରେ ୬୨୮ ଜଣ ଭାରତୀୟ ବନ୍ଦୀ ଅଛନ୍ତି। ସେଥିମଧ୍ୟରୁ ୫୧ ଜଣ ସାଧାରଣ ନାଗରିକ ଏବଂ ୫୭୭ ଜଣ ମତ୍ସ୍ୟଜୀବୀ ଅଟନ୍ତି | ୨୮୨ ସାଧାରଣ ନାଗରିକ ଏବଂ ୭୩ ମତ୍ସ୍ୟଜୀବୀଙ୍କ ସମେତ ୩୫୫ ପାକିସ୍ତାନୀ ବନ୍ଦୀଙ୍କ ତାଲିକା ମଧ୍ୟ ଭାରତ ସରକାର ପାକିସ୍ତାନକୁ ଦେଇଛନ୍ତି ।