ଏସିଆ କପ୍: ଭାରତକୁ ହରାଇ ହିସାବ ବରାବର କଲା ପାକିସ୍ତାନ | News Room Odisha

ଏସିଆ କପ୍: ଭାରତକୁ ହରାଇ ହିସାବ ବରାବର କଲା ପାକିସ୍ତାନ

ଦୁବାଇ: ଏସିଆ କପରେ ରବିବାର ଏକ ରୋମାଞ୍ଚକର ସୁପର-୪ ମ୍ୟାଚରେ ପାକିସ୍ତାନ ୫ ୱିକେଟରେ ଭାରତକୁ ହରାଇଛି ।

ଭାରତ ଗ୍ରୁପ୍ ପର୍ଯ୍ୟାୟରେ ପାକିସ୍ତାନକୁ ସମାନ ବ୍ୟବଧାନରେ ହରାଇଥିଲା । ଏବେ ଭାରତକୁ ହରାଇ ପାକିସ୍ତାନ ହିସାବ ବରାବର କରିଛି । ଟସ୍ ହାରି ବ୍ୟାଟିଂ କରିଥିବା ଭାରତ ୭ ୱିକେଟ ହରାଇ ୧୮୧ ରନ୍ କରିଥିଲା । ଏହାର ଜବାବରେ ପାକିସ୍ତାନ ମହମ୍ମଦ ରିଜୱାନଙ୍କ ଚମତ୍କାର ଅର୍ଦ୍ଧଶତକ ଓ ମହମ୍ମଦ ନୱାଜଙ୍କ ଆକ୍ରମଣାତ୍ମକ ଇନିଂସ ସହାୟତାରେ ଗୋଟିଏ ବଲ୍ ବାକି ଥାଇ ମ୍ୟାଚ୍ ଜିତି ନେଇଥିଲା । ଭାରତ ବିପକ୍ଷରେ ପାକିସ୍ତାନର ଏହା ସବୁଠୁ ବଡ଼ ସଫଳ ଚେଜ୍ ।

ପାକିସ୍ତାନ ତରଫରୁ ରିଜୱାନ ୫୧ଟି ବଲରେ ୬ଟି ଚୌକା ଓ ୨ଟି ଛକା ସହ ସର୍ବାଧିକ ୭୧ ରନ୍ କରିଥିବା ବେଳେ ମହମ୍ମଦ ନୱାଜ ମାତ୍ର ୨୦ଟି ବଲରେ ୬ଟି ଚୌକା ଓ ୨ଟି ଛକା ସହାୟତାରେ ୪୨ ରନ୍ କରିଥିଲେ । ଏ ଦୁହିଁଙ୍କ ମଧ୍ୟରେ ୭୩ ରନ୍ ଭାଗିଦାରୀ ହିଁ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବାବର ଆଜମ ୧୪, ଆସିଫ୍ ଅଲ୍ଲୀ ୧୬ ଓ ଖୁସିଦିଲ ଶାହ ୧୪ ରନ୍ କରିଥିଲେ । ଭାରତ ତରଫରୁ ଭୁବନେଶ୍ୱର, ଅର୍ଶଦୀପ, ରବି ବିଷ୍ଣୋଇ, ପାଣ୍ଡ୍ୟା ଓ ଚହଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଦୁଇ ଓପନର ରୋହିତ ଶର୍ମା ଏବଂ ଲୋକେଶ ରାହୁଲ ଦମଦାର ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟସମ୍ୟାନ ବିସ୍ଫୋରକ ବ୍ୟାଟିଂ କରି ୫.୧ ଓଭରରେ ୫୪ ରନ ଯୋଡିଥିଲେ। ରୋହିତ ଶର୍ମା ୧୬ ବଲ୍‌ରୁ ୩ ଚୌକା ଏବଂ ୨ ଛକା ସହ ୨୮ ରନ କରି ଆଉଟ୍ ହୋଇଥିଲେ। ପୁଣି ରାହୁଲ ଭଲ ଫର୍ମରେ ନଜର ଆସୁଥିଲେ ହେଁ ଅଧିକ ସମୟ କ୍ରିଜରେ ଜମି ପାରିନଥିଲେ। ସେ ୨୦ ବଲ୍‌ରୁ ୧ ଚୌକା ଏବଂ ୨ ଛକା ସହାୟତାରେ ୨୮ ରନ କରିଥିଲେ। କୋହଲି ଏବଂ ସୂର୍ଯ୍ୟକୁମାର ଯାଦବ ରନ ଗତି ବଜାୟ ରଖି ତୃତୀୟ ଓ୍ଵିକେଟ୍‌ରେ ୩୧ ରନ ଭାଗିଦାରୀ କରିଥିଲେ। ଗୋଟିଏ ପଟେ କୋହଲି ଇନିଂସ ସମ୍ଭାଳିଥିବା ବେଳେ ଅନ୍ୟପଟେ ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା।

ଗତ ମ୍ୟାଚ୍‌ରେ ଦମଦାର ବ୍ୟାଟିଂ କରିଥିବା ସୂର୍ଯ୍ୟ ୧୩ ରନ କରି ନିରାଶ ହୋଇଥିଲେ। ଋଷଭ ପନ୍ତ ମିଳିଥିବା ସୁଯୋଗର ଫାଇଦା ଉଠାଇ ପାରିନଥିଲେ। ସେ ୧୪ ରନ କରି ପାଭିଲିୟନ ଫେରିଥିଲେ। ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଖାତା ଖୋଲିବା ପୂର୍ବରୁ ଆଉଟ୍ ହେବା ଭାରତକୁ ବହୁତ ବଡ ଝଟକା ଲାଗିଥିଲା। ଏହି କ୍ରମରେ ବିରାଟ କୋହଲି ଏସିଆ କପରେ କ୍ରମାଗତ ଦ୍ଵିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ଦୀପକ ହୁଡ୍ଡା ୧୬ ରନ କରିଥିଲେ। ବିରାଟ କୋହଲି ଶେଷ ଓଭରରେ ପାଭିଲିୟନ ଫେରିଥିଲେ। ସେ ୪୪ ବଲରୁ ୪ ଚୌକା ଏବଂ ୧ ଛକା ସହ ୬୦ ରନ କରିଥିଲେ। ନିର୍ଦ୍ଧାରିତ ଓଭରରେ ଭାରତ ୭ ଓ୍ଵିକେଟ୍ ହରାଇ ୧୮୧ ରନ କରିଛି।

ପାକିସ୍ତାନ ପକ୍ଷରୁ ଶାଦବ ଖାନ ୩୧ ରନ ଦେଇ ୨ଟି ସଫଳତା ପାଇଛନ୍ତି। ନସୀମ ଶାହ, ମହମ୍ମଦ ହସନେନ, ହାରିସ ରାଉଫ ଏବଂ ମହମ୍ମଦ ନଓ୍ଵାଜ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ ।