ପାକିସ୍ତାନକୁ ଧୂସର ତାଲିକାରେ ବଜାୟ ରଖିଲା ଏଫ୍ଏଟିଏଫ୍ | News Room Odisha

ପାକିସ୍ତାନକୁ ଧୂସର ତାଲିକାରେ ବଜାୟ ରଖିଲା ଏଫ୍ଏଟିଏଫ୍

ଇସଲାମାବାଦ: ପ୍ୟାରିସରେ ଆୟୋଜିତ ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ (ଏଫ୍ଏଟିଏଫ୍) ର ଅନଲାଇନ୍ ବୈଠକରେ ପାକିସ୍ତାନକୁ ଧୂସର ତାଲିକାରେ ବଜାୟ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଗୁରୁବାର ସନ୍ଧ୍ୟାରେ ଜାରି ଏକ ବିବୃତ୍ତିରେ ଏଫ୍ଏଟିଏଫ୍ କହିଛି ଯେ ଆତଙ୍କବାଦ ବିରୋଧରେ ୩୪ ସୂତ୍ରୀ ଏଜେଣ୍ଡା ମଧ୍ୟରୁ ପାକିସ୍ତାନ ସରକାର ୪ଟିରେ ବିଫଳ ହୋଇଛନ୍ତି । ଜାତିସଂଘ ନିଷିଦ୍ଧ ଆତଙ୍କବାଦୀଙ୍କ ବିରୋଧରେ ପାକିସ୍ତାନ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ବୋଲି ଏଫ୍ଏଟିଏଫ୍ କହିଛି। ତୁର୍କୀ ବିରୋଧରେ ମଧ୍ୟ ଏଫ୍ଏଟିଏଫ୍ କଡ଼ା ଟିପ୍ପଣୀ କରିଛି ଏବଂ ଏହି ଦେଶ ପ୍ରଥମ ଥର ପାଇଁ ଧୂସର ତାଲିକାରେ ସାମିଲ ହୋଇଛି ।

ଏଫ୍ଏଟିଏଫ୍ କହିଛି ଯେ ପାକିସ୍ତାନ ଉପରେ ନିରନ୍ତର ନିରୀକ୍ଷଣ (ଧୂସର ତାଲିକା)ରେ ରହିବ। ପାକ୍ ସରକାରଙ୍କର ୩୪-ପଏଣ୍ଟ ଆକ୍ସନ ପ୍ଲାନ ଅଛି, ସେଥିମଧ୍ୟରୁ କେବଳ ୩୦ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅନ୍ୟପକ୍ଷରେ ବୋସ୍ୱାନା ଏବଂ ମରିସସ୍ କୁ ଏଫ୍ଏଟିଏଫ୍ ଧୂସର ତାଲିକାରୁ ବାଦ୍ ଦିଆଯାଇଛି | ଏଫ୍ଏଟିଏଫ୍ କହିଛି ଯେ ଏହି ଦୁଇ ଦେଶ ଅର୍ଥ ହେରଫେର ଏବଂ ଆତଙ୍କବାଦ ବିରୋଧରେ ସନ୍ତୋଷଜନକ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

ଏଫ୍ଏଟିଏଫ୍ ହେଉଛି ଏକ ଆନ୍ତଃ ଦେଶୀୟ ସଂସ୍ଥା ଯାହା ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଓ ମନି ଲଣ୍ଡ୍ରିଂ ଉପରେ ନଜର ରଖିଥାଏ ।