ପାକିସ୍ତାନର ସାଇବର ଆକ୍ରମଣ ଷଡ଼ଯନ୍ତ୍ରର ଖୁଲାସା, ଟାର୍ଗେଟରେ ସେନା, ଆଇଆଇଟି ପରି ବଡ଼ ଶିକ୍ଷାନୁଷ୍ଠାନ | News Room Odisha

ପାକିସ୍ତାନର ସାଇବର ଆକ୍ରମଣ ଷଡ଼ଯନ୍ତ୍ରର ଖୁଲାସା, ଟାର୍ଗେଟରେ ସେନା, ଆଇଆଇଟି ପରି ବଡ଼ ଶିକ୍ଷାନୁଷ୍ଠାନ

ପାକିସ୍ତାନର ସାଇବର ଆକ୍ରମଣ ଷଡ଼ଯନ୍ତ୍ରର ଖୁଲାସା, ଟାର୍ଗେଟରେ ସେନା, ଆଇଆଇଟି ପରି ବଡ଼ ଶିକ୍ଷାନୁଷ୍ଠାନ

ନୂଆଦିଲ୍ଲୀ: ଭାରତ ଉପରେ ସାଇବର ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଛି‌ ପାକିସ୍ତାନ । ଏଥର ଭାରତୀୟ ସେନା ବ୍ୟତୀତ ଆଇଆଇଟି ପରି ବଡ଼ ଅନୁଷ୍ଠାନ ଉପରେ ରହିଛି ପାକ୍ ହ୍ୟାକର୍ସଙ୍କ ନଜର । ଦେଶର ଗୁଇନ୍ଦା ବିଭାଗ (ଆଇବି) ଏହି ଖୁଲାସା କରିଛି । ଗୁଇନ୍ଦା ବିଭାଗ କହିଛି ଯେ ପାକିସ୍ତାନୀ ହ୍ୟାକରମାନେ ଭାରତର ବଡ଼ ବଡ଼ ଅନୁଷ୍ଠାନକୁ ଟାର୍ଗେଟ କରିଛନ୍ତି। ପୁଣେ ଭିତ୍ତିକ କୁଇକ୍ ହିଲ୍ ଟେକ୍ନୋଲୋଜିର ଏକ ଶାଖା ସେକ୍ରେଇଟ୍ ରିପୋର୍ଟ ଅନୁଯାୟୀ ପାକିସ୍ତାନର ହ୍ୟାକର ଗ୍ରୁପ୍ ‘ଟ୍ରାନ୍ସପରେଣ୍ଟ ଟ୍ରାଇବ୍’ ଭାରତ ସରକାର ଏବଂ ସେନା ବାହିନୀକୁ ଟାର୍ଗେଟ କରୁଛି।

ଭାରତ ଉପରେ ସାଇବର ଆକ୍ରମଣ ପାଇଁ ‘ଟ୍ରାନ୍ସପରେଣ୍ଟ ଟ୍ରାଇବ୍’ ନାମକ ଏକ ନୂଆ ଗ୍ରୁପ୍ ଗଠନ କରିଛି ପାକିସ୍ତାନ। ଏହି ଗ୍ରୁପ୍ ମୁଖ୍ୟତଃ ଭାରତର ପ୍ରତିରକ୍ଷା ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରୁଛି। ନିକଟରେ ପାକିସ୍ତାନକୁ ସମ୍ବେଦନଶୀଳ ତଥ୍ୟ ପ୍ରଦାନ ଅଭିଯୋଗରେ ଜଣେ ଡିଆରଡିଓ ବୈଜ୍ଞାନିକଙ୍କ ଗିରଫ କରାଯିବା ପରେ ଏହି ଷଡ଼ଯନ୍ତ୍ର ସାମ୍ନାକୁ ଆସିଥିଲା। ଉକ୍ତ ବୈଜ୍ଞାନିକ ହନିଟ୍ରାପରେ ଫସି ଭାରତର ଗୋପନ ପ୍ରତିରକ୍ଷା ତଥ୍ୟ ପ୍ରଘଟ କରୁଥିଲେ ।

‘ଟ୍ରାନ୍ସପରେଣ୍ଟ ଟ୍ରାଇବ୍’ ଦୀର୍ଘ ଦିନ ଧରି ସାଇବର ଆକ୍ରମଣ ସହ ଭାରତକୁ ଟାର୍ଗେଟ କରିଆସୁଛି। ଏ ବିଷୟରେ ପ୍ରଥମେ ମେ ୨୦୨୨ରେ ରିପୋର୍ଟ କରାଯାଇଥିଲା। ଚଳିତ ବର୍ଷ ପ୍ରାରମ୍ଭରେ ଏହି ପାକ୍ ହ୍ୟାକର୍ସ ଗ୍ରୁପ୍ ଆହୁରି ଅଧିକ ଆକ୍ରମଣ ଯୋଜନାରେ ଥିଲା | ଏହି ଗ୍ରୁପ୍ ଆଇଆଇଟି ଏବଂ ଏନ୍ଆଇଆଇଟି ପରି ଅନୁଷ୍ଠାନକୁ ଟାର୍ଗେଟ କରିଥିଲା |

ତେବେ ପାକିସ୍ତାନ କାହିଁକି ଭାରତର ଏପରି ବଡ଼ ସଂସ୍ଥା ଗୁଡ଼ିକୁ ଟାର୍ଗେଟ କରୁଛି ସେନେଇ କୌଣସି ଠୋସ୍ ସୂଚନା ସାମ୍ନାକୁ ଆସିନାହିଁ। ସୂତ୍ରରୁ ପ୍ରକାଶ, ଭାରତର ଏହି ଦୁଇ ସଂସ୍ଥା ସେନା ସହିତ ଘନିଷ୍ଠ ଭାବେ କାର୍ଯ୍ୟ କରନ୍ତି । ଏହି କାରଣରୁ ସେମାନଙ୍କୁ ଟାର୍ଗେଟ କରାଯାଉଛି ବୋଲି ଗୁପ୍ତଚର ଏଜେନ୍ସିମାନେ ସନ୍ଦେହ କରୁଛନ୍ତି ବୋଲି ଗୁଇନ୍ଦା ସଂସ୍ଥା ସନ୍ଦେହ କରୁଛି ।