ବିଶିଷ୍ଟ ଉଦ୍ୟୋଗପତି ପାଲୋନଜୀ ମିସ୍ତ୍ରୀଙ୍କ ଦେହାନ୍ତ | News Room Odisha

ବିଶିଷ୍ଟ ଉଦ୍ୟୋଗପତି ପାଲୋନଜୀ ମିସ୍ତ୍ରୀଙ୍କ ଦେହାନ୍ତ

ମୁମ୍ବାଇ: ବିଶିଷ୍ଟ ଉଦ୍ୟୋଗପତି ତଥା ଶାପୁରଜୀ ପାଲୋନଜୀ ଗ୍ରୁପ୍‌ର ଚେୟାରମ୍ୟାନ୍ ପଦ୍ମ ଭୂଷଣ ପାଲୋନଜୀ ମିସ୍ତ୍ରୀଙ୍କ ମୁମ୍ବାଇରେ ଦେହାନ୍ତ ହୋଇଯାଇଛି। ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ପାଲୋନଜୀ ସାଇରସ୍ ମିସ୍ତ୍ରୀଙ୍କ ପିତା ଥିଲେ, ଯିଏ ଟାଟା ସନ୍ସର ଚେୟାରମ୍ୟାନ୍ ଥିଲେ |

ଶାପୁରଜୀ ପାଲୋନଜୀ ଗ୍ରୁପ୍‌ର ବ୍ୟବସାୟ ଇଞ୍ଜିନିୟରିଂ ଓ କନଷ୍ଟ୍ରକ୍ସନ ଠାରୁ ଆରମ୍ଭ କରି ଇନଫ୍ରା, ରିଏଲ୍ ଇଷ୍ଟେଟ୍, ଜଳ ଶକ୍ତି ଏବଂ ଆର୍ଥିକ ସେବା ଯାଏଁ ବ୍ୟାପ୍ତ | ଏହି ଗ୍ରୁପ୍‌ର ପ୍ରାୟ ୫୦,୦୦୦ କର୍ମଚାରୀ ଅଛନ୍ତି | କମ୍ପାନୀ ତରଫରୁ କୁହାଯାଇଛି ଯେ ଏହି ଗ୍ରୁପ୍ ବିଶ୍ବର ୫୦ଟି ଦେଶରେ ବ୍ୟବସାୟ କରୁଛି।

ପାଲୋନଜୀ ମିସ୍ତ୍ରୀ ଏକ ପାର୍ସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ | ସେ ୨୦୦୩ରେ ଆୟରିଶ୍ ନାଗରିକତ୍ୱ ମଧ୍ୟ ଗ୍ରହଣ କରିଥିଲେ। ତାଙ୍କୁ ୨୦୧୬ ମସିହାରେ ପଦ୍ମ ଭୂଷଣ ସମ୍ମାନ ପ୍ରଦାନ କରାଯାଇଥିଲା। ପାଲୋନଜୀ ମିସ୍ତ୍ରୀ ପତ୍ନୀ ପାଷ୍ଟି ପେରିନ୍ ଡୁବାସ୍ ଏବଂ ଚାରି ସନ୍ତାନ ଶାପୁର ମିସ୍ତ୍ରୀ, ସାଇରସ୍ ମିସ୍ତ୍ରୀ (ପୁଅ) ଓ ଝିଅ ଲୈଲା ମିସ୍ତ୍ରୀ ଏବଂ ଅଲୁ ମିସ୍ତ୍ରୀଙ୍କୁ ପଛରେ ଛାଡ଼ି ଚାଲିଯାଇଛନ୍ତି। ତାଙ୍କ ପୁଅ ସାଇରସ୍ ମିସ୍ତ୍ରୀ ୨୦୧୨ ରୁ ୨୦୧୬ ପର୍ଯ୍ୟନ୍ତ ଟାଟା ଗ୍ରୁପ୍‌ର ଚେୟାରମ୍ୟାନ୍ ଥିଲେ | ପରେ ଟାଟା ଗ୍ରୁପ୍ ସହ ଆଇନଗତ ଲଢେଇ ପାଇଁ ସାଇରସ୍ ମିସ୍ତ୍ରୀ ଚର୍ଚ୍ଚାରେ ରହିଥିଲେ।

ପାଲୋନଜୀ ମିସ୍ତ୍ରୀଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି।