ସିରିଜ୍ ବିଜୟ ପରେ ୱେଷ୍ଟଇଣ୍ଡିଜ୍ ବୋର୍ଡ ଉପରେ ଚିଡ଼ିଲେ ପାଣ୍ଡ୍ୟା, କହିଲେ ଆମକୁ ଦିଅ ମୌଳିକ ସୁବିଧା | News Room Odisha

ସିରିଜ୍ ବିଜୟ ପରେ ୱେଷ୍ଟଇଣ୍ଡିଜ୍ ବୋର୍ଡ ଉପରେ ଚିଡ଼ିଲେ ପାଣ୍ଡ୍ୟା, କହିଲେ ଆମକୁ ଦିଅ ମୌଳିକ ସୁବିଧା

ତରୌବା: ତୃତୀୟ ଦିନିକିଆ ପାଇଁ ଏଠାରେ ରହଣି ସମୟରେ ମୌଳିକ ସୁବିଧାର ଅଭାବ ନେଇ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଭଳି ସମସ୍ୟାର ସମାଧାନ ପାଇଁ ଦୃଷ୍ଟି ଦେବାକୁ ସେ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡକୁ ରୋକଠୋକ୍ କହିଛନ୍ତି।

ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ହାର୍ଦ୍ଦିକଙ୍କ ନେତୃତ୍ବରେ ଭାରତ ତୃତୀୟ ତଥା ଅନ୍ତିମ ଦିନିକିଆକୁ ୨୦୦ ରନରେ ଜିତି ସିରିଜକୁ ୨-୧ରେ କବଜା କରିଥିଲା ।

ମ୍ୟାଚ୍ ପରେ ହାର୍ଦ୍ଦିକ କହିଥିଲେ, “ଏହା ଅନ୍ୟତମ ସୁନ୍ଦର ଗ୍ରାଉଣ୍ଡ। କିନ୍ତୁ ଆର ଥରକୁ ଆମେ ଯେବେ ଏଠାକୁ ଆସିବୁ ଆଉ ଟିକେ ଭଲ ବ୍ୟବସ୍ଥା ହେବା ଦରକାର, ଯାତ୍ରାଠୁ ଆରମ୍ଭ କରି ସବୁ କିଛିର ପ୍ରବନ୍ଧନ ପର୍ଯ୍ୟନ୍ତ | ଗତ ବର୍ଷ ମଧ୍ୟ କିଛି ସମସ୍ୟା ଦେଖାଦେଇଥିଲା |

ସେ କହିଛନ୍ତି, ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ । ଯେତେବେଳେ କୈଣସି ଦଳ ଏଠାକୁ ଆସନ୍ତି, ସେମାନେ ଲଗଜରି ଚାହୁଁ ନାହାଁନ୍ତି, ବରଂ ମୌଳିକ ଆବଶ୍ୟକତା ପ୍ରତି ଧ୍ୟାନ ଦେବା ଉଚିତ। ଏହି ସମସ୍ୟା ବାଦ୍ ଆମେ ଏଠାରେ ଖେଳିବା ପୁରା ଉପଭୋଗ କରିଥିଲୁ।

ଏହାପୂର୍ବରୁ ଭାରତୀୟ ଦଳର ବିଳମ୍ବିତ ରାତିରେ ତ୍ରିନିଦାଦରୁ ବାରବାଡୋସ୍ ଅଭିମୁଖେ ଫ୍ଲାଇଟ୍ ପ୍ରାୟ ଚାରି ଘଣ୍ଟା ବିଳମ୍ବ ହୋଇଥିଲା । ଫଳରେ ସିରିଜର ପ୍ରଥମ ମ୍ୟାଚ୍ ପୂର୍ବରୁ ଖେଳାଳିମାନେ ଭଲ ଭାବେ ଶୋଇ ପାରିନଥିଲେ । ଏ ନେଇ ସେମାନେ ବିସିସିଆଇକୁ ନିଜ ଅସନ୍ତୋଷ ବ୍ୟକ୍ତ କରିଥିଲେ।