ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜ୍ ପାଇଁ ପାଣ୍ଡ୍ୟା କ୍ୟାପଟେନ୍‌, ରାହୁଲ ତ୍ରିପାଠୀ ନୂଆ ମୁହଁ | News Room Odisha

ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜ୍ ପାଇଁ ପାଣ୍ଡ୍ୟା କ୍ୟାପଟେନ୍‌, ରାହୁଲ ତ୍ରିପାଠୀ ନୂଆ ମୁହଁ

ନୂଆଦିଲ୍ଲୀ: ଆୟର୍ଲାଣ୍ଡ ବିପକ୍ଷ ଆଗାମୀ ଦୁଇ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ପାଇଁ ବୁଧବାର ଭାରତୀୟ ଦଳ ଘୋଷଣା ହୋଇଛି । ଚଳିତ ମାସ ୨୬ରୁ ଆରମ୍ଭ ହେଉଥିବା ଏହି ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଦଳର ନେତୃତ୍ୱ ନେବେ । ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି । ଏହି ସିରିଜରେ ଭାରତର ସିନିୟର କ୍ରିକେଟର ଖେଳିବେ ନାହିଁ । କାରଣ ସିନିୟର ଦଳ ଜୁଲାଇ ୧ରୁ ଆରମ୍ଭ ହେଉଥିବା ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟରେ ବ୍ୟସ୍ତ ରହିବେ ।

ଆଇପିଏଲ ଡେବ୍ୟୁରେ ଗୁଜରାଟ ଟାଇଟନ୍ସକୁ ଚାମ୍ପିୟନ କରାଇଥିବା ପାଣ୍ଡ୍ୟାଙ୍କୁ ଏବେ ଅନ୍ତର୍ଜାତୀୟ କ୍ରିକେଟରେ ନିଜ ନେତୃତ୍ୱ ଦକ୍ଷତାର ପ୍ରମାଣ ଦେବା ସୁଯୋଗ ମିଳିଛି । ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜ୍ ପାଇଁ ଭାରତୀୟ ଦଳରେ ରାହୁଲ ତ୍ରିପାଠୀ ହେଉଛନ୍ତି ନୂଆ ମୁହଁ । ଆଇପିଏଲ୍ ୨୦୨୨ରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିଥିବା ତ୍ରିପାଠୀ ଚମତ୍କାର ପ୍ରଦର୍ଶନ ସହ ୧୫୮ ଷ୍ଟ୍ରାଇକ ରେଟରେ ୪୧୩ ରନ୍ କରିଥିଲେ । ଆଘାତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ବାଦ୍ ପଡିଥିବା ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଫେରିଛନ୍ତି । ଯାଦବଙ୍କ ସହ ସଞ୍ଜୁ ସାମସନଙ୍କୁ ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜ୍ ପାଇଁ ଭାରତୀୟ ଦଳରେ ସ୍ଥାନ ମିଳିଛି । ଭେଟେରାନ କ୍ରିକେଟର ଦିନେଶ କାର୍ତ୍ତିକ ମଧ୍ୟ ଦଳରେ ସ୍ଥାନ ବଜାୟ ରଖିଛନ୍ତି । ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜରେ ଖେଳୁଥିବା ପ୍ରାୟ ସମସ୍ତ ଖେଳାଳି ଆୟର୍ଲାଣ୍ଡ ବିପକ୍ଷ ସିରିଜ୍ ପାଇଁ ମନୋନୀତ ହୋଇଛନ୍ତି । ଯୁବ ଦ୍ରୁତ ବୋଲର ଉମ୍ରାନ ମଲିକ ଓ ଅର୍ଶଦୀପ ସିଂହ ମଧ୍ୟ ଦଳରେ ସ୍ଥାନ ବଜାୟ ରଖିଛନ୍ତି । ସିନିୟର ଦଳ ସହ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ବ୍ୟସ୍ତ ରହିବାକୁ ଥିବାବେଳେ ଆୟର୍ଲାଣ୍ଡ ଗସ୍ତରେ ଭିଭିଏସ୍ ଲକ୍ଷ୍ମଣ କୋଚ୍ ଦାୟିତ୍ୱ ତୁଲାଇବେ । ସହାୟକ କୋଚ୍ ଭାବେ ସିତାଂଶୁ କୋଟକ ରହିଥିବା ବେଳେ ସାଇରାଜ ବାହୁତୁଲେ ବୋଲିଂ କୋଚ୍ ଓ ମୁନିଶ ବାଲି ଫିଲ୍ଡିଂ କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି ।
ଆୟର୍ଲାଣ୍ଡ ଓ ଭାରତ ମଧ୍ୟରେ ଦୁଇଟି ଟି୨୦ ମ୍ୟାଚ୍ ଯଥାକ୍ରମେ ଜୁନ୍ ୨୬ ଓ ୨୮ରେ ମାଲାହାଇଡରେ ଖେଳାଯିବ । ଭାରତ ଶେଷଥର ପାଇଁ ୨୦୧୮ରେ ଆୟର୍ଲାଣ୍ଡ ଗସ୍ତରେ ଯାଇ ଦୁଇଟି ଟି-୨୦ ଖେଳିଥିଲା । ଭାରତ ସେହି ସିରିଜକୁ ୨-୦ରେ ଜିତିଥିଲା । ଭାରତ ସମ୍ପ୍ରତି ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳୁଛି ।

ଭାରତୀୟ ଦଳ: ହାର୍ଦ୍ଦିକ ପାଣ୍ଡ୍ୟା (କ୍ୟାପଟେନ୍‌), ଇଶାନ କିଶାନ, ଋତୁରାଜ ଗାଏକ୍ୱାଡ, ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ରାହୁଲ ତ୍ରିପାଠୀ, ଭେଙ୍କଟେଶ ଆୟର, ଦୀପକ ହୁଡା, ଦିନେଶ କାର୍ତ୍ତିକ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅବେଶ ଖାନ, ଅର୍ଶଦୀପ ସିଂହ, ଉମ୍ରାନ ମଲିକ ।