ଭାରତ ଉପରେ ପୁଣି ଆକ୍ରମଣ ଧମକ ଦେଲା ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ | News Room Odisha

ଭାରତ ଉପରେ ପୁଣି ଆକ୍ରମଣ ଧମକ ଦେଲା ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ

ନୂଆଦିଲ୍ଲୀ: କାନାଡାରେ ରହୁଥିବା ଖଲିସ୍ତାନୀ ଆତଙ୍କବାଦୀ ତଥା ଶିଖ୍ ଫର ଜଷ୍ଟିସ୍ (ଏସ୍ଏଫଜେ) ସଂଗଠନର ମୁଖ୍ୟ ଗୁରୁପତଓ୍ବନ୍ତ ସିଂ ପନ୍ନୁ ଏକ ଭିଡ଼ିଓ ଜାରି କରି ପୁଣି ଭାରତ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛି । ଏହାଛଡ଼ା ପନ୍ନୁ ଦିଲ୍ଲୀର ଆଇସିବିଟି ଅଞ୍ଚଳର ଫ୍ଲାଏ ଓଭରର କାନ୍ଥ ଏବଂ ଅନ୍ୟ କେତେକ ସ୍ଥାନରେ ଖଲିସ୍ତାନୀ ସମର୍ଥକଙ୍କ ଦ୍ବାରା ଭାରତ ବିରୋଧୀ ସ୍ଲୋଗାନ ଲେଖିଥିବା ପୋଲିସ କହିଛି। ଏହି ମାମଲାରେ ଉତ୍ତର ଦିଲ୍ଲୀ ପୋଲିସ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପନ୍ନୁ ଜାରି କରିଥିବା ନୂଆ ଭିଡିଓରେ ସେ ଖଲିସ୍ତାନୀ ନେତା ହରଦୀପ ସିଂ ନିଜ୍ଜର ହତ୍ୟାକାଣ୍ଡ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛି । ନିଜ୍ଜର ହତ୍ୟାକୁ ନେଇ ସମ୍ପ୍ରତି ଭାରତ ଓ କାନାଡା ମଧ୍ୟରେ ତିକ୍ତତା ଦେଖାଦେଇଛି । ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଏହି ପ୍ରସଙ୍ଗ ଉଠିଛି। ଆମେରିକା ମଧ୍ୟ ଏହି ମାମଲାର ନିରପେକ୍ଷ ତଦନ୍ତ ଦରକାର ବୋଲି କହିଛି।

ଉଲ୍ଲେଖଯୋଗ୍ୟ, ନିକଟରେ ଏନ୍ଆଇଏ ପଞ୍ଜାବରେ ପନ୍ନୁର ସମ୍ପତ୍ତି ଜବତ କରିଥିଲା । ଏହାପରେ ପନ୍ନୁ ଭାରତରେ ହେବାକୁ ଥିବା କ୍ରିକେଟ୍ ବିଶ୍ୱକପକୁ ଟାର୍ଗେଟ କରିବାକୁ ଧମକ ଦେଇଥିଲା ।