ପନ୍ତଙ୍କ ଆଖି ଲାଗିଯିବାରୁ ହୋଇଥିଲା ଦୁର୍ଘଟଣା, ସିଟ୍ ବେଲ୍ଟ ପିନ୍ଧିଥିଲେ କାର୍‌ ସହ ଜଳିଯାଇଥାନ୍ତେ | News Room Odisha

ପନ୍ତଙ୍କ ଆଖି ଲାଗିଯିବାରୁ ହୋଇଥିଲା ଦୁର୍ଘଟଣା, ସିଟ୍ ବେଲ୍ଟ ପିନ୍ଧିଥିଲେ କାର୍‌ ସହ ଜଳିଯାଇଥାନ୍ତେ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ରିକେଟର ରିଷଭ ପନ୍ତ ଶୁକ୍ରବାର ସକାଳେ ଉତ୍ତରାଖଣ୍ଡର ରୁରକି ନିକଟରେ କାର୍ ଦୁର୍ଘଟଣାରେ ଆହତ ହୋଇଛନ୍ତି । ସେ ଦିଲ୍ଲୀରୁ ଉତ୍ତରାଖଣ୍ଡରେ ତାଙ୍କ ଘରକୁ ଯାଉଥିବା ବେଳେ ନରସାନ ସୀମାର ହାମଦପୁର ଝାଲ ମୋଡରେ ତାଙ୍କ ମର୍ସିଡିଜ୍ କାର୍ ନିୟନ୍ତ୍ରଣ ହରାଇ ଡିଭାଇଡରକୁ ଧକ୍କା ଦେଇଥିଲା । ଏହାପରେ କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ସୌଭାଗ୍ୟ ବଶତଃ ପନ୍ତ କାରରୁ ବାହାରିବାରେ ସଫଳ ହୋଇଥିଲେ । ଏହି ଦୁର୍ଘଟଣାରେ ପନ୍ତଙ୍କ କପାଳ, ଗୋଡ଼ ଓ ପିଠିରେ ଆଘାତ ଲାଗିଛି । ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଇଛି।

ଉତ୍ତରାଖଣ୍ଡର ଡିଜି ଅଶୋକ କୁମାରଙ୍କ ସୂଚନା ଅନୁଯାୟୀ, ପନ୍ତ ହିଁ ଡ୍ରାଇଭିଂ କରୁଥିଲେ ଓ ସେ କାରରେ ଏକା ଥିଲେ । ଡ୍ରାଇଭିଂ ବେଳେ ପନ୍ତଙ୍କ ଆଖି ଲାଗି ଯାଇଥିଲା । ଏହି କାରଣରୁ ସେ କାର୍ ଉପରେ ନିୟନ୍ତ୍ରଣ ହରାଇଥିଲେ । ଦୁର୍ଘଟଣା ସମୟରେ କାରରେ ପନ୍ତ ଜଣେ ହିଁ ଥିଲେ। ଦୁର୍ଘଟଣା ପରେ ପନ୍ତ ଝରକା ଭାଙ୍ଗି ଜଳନ୍ତା କାରରୁ ବାହାରକୁ ଆସିଥିଲେ। ପନ୍ତଙ୍କ ମୁଣ୍ଡ, ପିଠି ଏବଂ ଗୋଡରେ ଆଘାତ ଲାଗିଛି। ତାଙ୍କୁ ଡେରାଡୁନ ଏମ୍ସରେ ଭର୍ତ୍ତି କରାଯାଇଛି । ତେବେ ସେ ବିପଦମୁକ୍ତ ବୋଲି ତାଙ୍କ ଚିକିତ୍ସା କରୁଥିବା ଡ଼ାକ୍ତର କହିଛନ୍ତିି ।

ଦୁର୍ଘଟଣା ପରେ ପ୍ରାଥମିକ ଚିକିତ୍ସା ପାଇଁ ପନ୍ତଙ୍କୁ ରୁରକି ସକ୍ଷମ ହସ୍ପିଟାଲକୁ ନିଆଯାଇଥିଲା। ଡ଼ାକ୍ତର କହିଛନ୍ତି ଯେ ଏମଆରଆଇ ପରେ ହିଁ ତାଙ୍କ ଗୋଡ଼ ହାଡ ଭାଙ୍ଗିଛି କି ନାହିଁ ଜଣାପଡିବ। ପନ୍ତଙ୍କ ଅପରେସନ୍ ବି ହୋଇପାରେ |

ଡାକ୍ତର କହିଛନ୍ତି ଯେ ତାଙ୍କ ମାଙ୍କୁ ସରପ୍ରାଇଜ୍ ଦେବାକୁ ପନ୍ତ ଘରକୁ ଯାଉଥିଲେ । ପନ୍ତ ସିଟ୍ ବେଲ୍ଟ ପିନ୍ଧି ନଥିଲେ। ତେଣୁ ସେ ଜଳନ୍ତା କାରରୁ ନିରାପଦରେ ବାହାରକୁ ଆସିପାରିଥିଲେ। ଯଦି ସେ ସିଟ୍ ବେଲ୍ଟ ପିନ୍ଧିଥାନ୍ତେ, ତେବେ କାର୍ ସହ ସେ ବି ଜଳି ଯାଇଥାନ୍ତେ |