ନୋ ବଲ୍ ବିବାଦ: ରିଷଭ ପନ୍ତଙ୍କ ପୂରା ମ୍ୟାଚ୍ ଫି' କଟିଲା, ଦିଲ୍ଲୀ ସହାୟକ କୋଚ୍ ପ୍ରବୀଣ ଆମ୍ରେ ଗୋଟିଏ ମ୍ୟାଚରୁ ବାସନ୍ଦ | News Room Odisha

ନୋ ବଲ୍ ବିବାଦ: ରିଷଭ ପନ୍ତଙ୍କ ପୂରା ମ୍ୟାଚ୍ ଫି’ କଟିଲା, ଦିଲ୍ଲୀ ସହାୟକ କୋଚ୍ ପ୍ରବୀଣ ଆମ୍ରେ ଗୋଟିଏ ମ୍ୟାଚରୁ ବାସନ୍ଦ

ମୁମ୍ବାଇ: ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ତାଙ୍କ ଆଚରଣ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତଙ୍କୁ ଦଣ୍ଡିତ କରାଯାଇଛି । ଆଇପିଏଲ ନିୟମ ଉଲ୍ଲଂଘନ ପାଇଁ ପନ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏଥିପାଇଁ ପନ୍ତଙ୍କୁ ତାଙ୍କ ମ୍ୟାଚ୍ ଫି’ ର ୧୦୦% ଜରିମାନା କରାଯାଇଛି | ଶୁକ୍ରବାର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଇଥିଲା। ଏହି ହାଇସ୍କୋରିଂ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଠାରୁ ଦିଲ୍ଲୀ ୧୫ ରନରେ ପରାସ୍ତ ହୋଇଥିଲା ।

ପନ୍ତ ନିଜ ଲେବଲ-୨ ଅପରାଧ ମାନିଛନ୍ତି | ଦିଲ୍ଲୀ ଅଧିନାୟକ ଆଚରଣ ସଂହିତା ଧାରା ୨.୭ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁରଙ୍କୁ ମଧ୍ୟ ତାଙ୍କ ମ୍ୟାଚ ଫି’ର ୫୦% ଜରିମାନା କରାଯାଇଛି।

ଦିଲ୍ଲୀ କ୍ୟାପିଟାଲ୍ସ ସହାୟକ କୋଚ୍ ପ୍ରବୀଣ ଆମ୍ରେଙ୍କୁ ମଧ୍ୟ ତାଙ୍କ ମ୍ୟାଚ ଫି ର ୧୦୦% ଜରିମାନା କରାଯାଇଛି। ଏହା ସହିତ ତାଙ୍କ ଉପରେ ଏକ ମ୍ୟାଚରୁ ବ୍ୟାନ୍ ମଧ୍ୟ କରାଯାଇଛି। ଆମ୍ରେ ଆର୍ଟିକିଲ୍ ୨ ଏବଂ ୨.୨ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା ଯାହାକୁ ସେ ଗ୍ରହଣ କରିଛନ୍ତି।

ମ୍ୟାଚର ଶେଷ ଓଭର କରୁଥିବା ରାଜସ୍ଥାନ ରୟାଲ୍ସର ବୋଲର ଓବେ ମ୍ୟାକକୋଇଙ୍କ ତୃତୀୟ ବଲକୁ ଅମ୍ପାୟାର ‘ନୋ-ବଲ୍’ ଦେଇନଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଅଧିନାୟକ ପନ୍ତ ସମେତ ଦିଲ୍ଲୀ କ୍ୟାପିଟାଲ୍ସର ସମଗ୍ର କ୍ୟାମ୍ପ ଏହାକୁ ନୋ-ବଲ୍ ବୋଲି ଭାବୁଥିଲା | ଏପରିକି ଅମ୍ପାୟରଙ୍କ ନିଷ୍ପତ୍ତିରେ ପ୍ରତିବାଦ ଜଣାଇ ପନ୍ତ କ୍ରିଜରେ ଥିବା ନିଜ ବ୍ୟାଟ୍ସମ୍ୟାନଙ୍କୁ ଫେରି ଆସିବାକୁ କହିଥିଲେ । ପରେ ପନ୍ତ ଦଳର ସହାୟକ କୋଚ୍ ପ୍ରବୀଣ ଆମ୍ରେଙ୍କୁ ପଡ଼ିଆକୁ ପଠାଇଥିଲେ। ପ୍ରବୀଣ ଆମ୍ରେଙ୍କ ଅଙ୍ଗଭଙ୍ଗୀରୁ ସେ ‘ନୋ-ବଲ୍’ ଚେକ୍ କରିବା ପାଇଁ ଅମ୍ପାୟରଙ୍କୁ କହୁଥିବା ଟିଭି ଫୁଟେଜରୁ ଜଣାପଡ଼ୁଥିଲା । ଏହି ବିବାଦ ଯୋଗୁଁ ମ୍ୟାଚ୍ କିଛି ସମୟ ବାଧାପ୍ରାପ୍ତ ହୋଇଥିଲା ​​|

ପନ୍ତ ତାଙ୍କ ଭୁଲ୍ ସ୍ୱୀକାର କରି କହିଛନ୍ତି – ମୁଁ ଭାବୁଛି ସେ ଖେଳ ସାରା ଭଲ ବୋଲିଂ କରୁଥିଲେ, କିନ୍ତୁ ଶେଷରେ ପାୱେଲ ଆମକୁ ଏକ ସୁଯୋଗ ଦେଇଥିଲେ | ମୁଁ ଭାବିଲି ନୋ-ବଲ୍ ଆମ ପାଇଁ ନିର୍ଣ୍ଣାୟକ ହେବ, କିନ୍ତୁ ଏହା ମୋ ନିୟନ୍ତ୍ରଣରେ ନାହିଁ | ମୁଁ ନିରାଶ, କିନ୍ତୁ ଏ ବିଷୟରେ ଅଧିକ କିଛି କରିପାରିବି ନାହିଁ |