ପନ୍ତଙ୍କ ଆଣ୍ଠୁ ଅସ୍ତ୍ରୋପଚାର ସଫଳ | News Room Odisha

ପନ୍ତଙ୍କ ଆଣ୍ଠୁ ଅସ୍ତ୍ରୋପଚାର ସଫଳ

ମୁମ୍ବାଇ: ଭାରତୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କ ମୁମ୍ବାଇର ଏକ ହସ୍ପିଟାଲରେ ଆଣ୍ଠୁ ଅସ୍ତ୍ରୋପଚାର ହୋଇଛି । ଏହା ସଫଳ ହୋଇଛି । ଜଣେ ବିସିସିଆଇ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଗତ ସପ୍ତାହରେ ପନ୍ତ ଏକ ଭୟଙ୍କର କାର ଦୁର୍ଘଟଣାରୁ ବଞ୍ଚି ଯାଇଥିଲେ।

ବିସିସିଆଇ ସୂତ୍ରରୁ ପ୍ରକାଶ ଯେ ଶୁକ୍ରବାର ରିଷଭ ପନ୍ତଙ୍କ ଆଣ୍ଠୁ ଲିଗାମେଣ୍ଟ ସର୍ଜରୀ କରାଯାଇଥିଲା । ଏହି ଅସ୍ତ୍ରୋପଚାର ସଫଳ ରହିଥିଲା | ପନ୍ତ ଡାକ୍ତରଙ୍କ ନିରୀକ୍ଷଣରେ ରହିବେ।

ମୁମ୍ବାଇର ଅନ୍ଧେରୀ ୱେଷ୍ଟ୍ ସ୍ଥିତ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ‘ସେଣ୍ଟର ଫର୍ ସ୍ପୋର୍ଟସ୍ ମେଡିସିନ୍’ର ବିଭାଗୀୟ ମୁଖ୍ୟ ତଥା ‘ଅର୍ଥ୍ରୋସ୍କୋପି ଆଣ୍ଡ୍ ସୋଲ୍ଡର ସର୍ଭିସ୍’ର ନିର୍ଦ୍ଦେଶକ ଡାକ୍ତର ପାରଦୀୱାଲାଙ୍କ ତତ୍ତ୍ୱାବଧାନରେ ଏହି ଅସ୍ତ୍ରୋପଚାର କରାଯାଇଥିଲା।

ସାଧାରଣ ବିମାନରେ ଯାତ୍ରା କରିବା ସ୍ଥିତିରେ ନ ଥିବାରୁ ପନ୍ତଙ୍କୁ ନିକଟରେ ଏୟାର ଆମ୍ବୁଲାନ୍ସ ଯୋଗେ ଡେରାଡୁନରୁ ମୁମ୍ବାଇ ଅଣାଯାଇଥିଲା । ଡିସେମ୍ବର ୩୦ରେ ଦିଲ୍ଲୀରୁ ରୁର୍କି ଯିବାବେଳେ ଦିଲ୍ଲୀ-ଡେରାଡୁନ ଏନ୍ଏଚ୍ ୫୮ରେ ପନ୍ତଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଡିଭାଇଡରକୁ ପିଟି ହେବା ତାଙ୍କ କାର୍ ଜଳିଯାଇଥିଲା । ତେବେ ପନ୍ତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ।