ଟ୍ୱିଟରରୁ ଖାଲି ହାତରେ ଯିବେନି ପରାଗ ଅଗ୍ରୱାଲ, ପାଇବେ ୪୧୨ କୋଟି କ୍ଷତିପୂରଣ | News Room Odisha

ଟ୍ୱିଟରରୁ ଖାଲି ହାତରେ ଯିବେନି ପରାଗ ଅଗ୍ରୱାଲ, ପାଇବେ ୪୧୨ କୋଟି କ୍ଷତିପୂରଣ

ନୂଆଦିଲ୍ଲୀ: ଟ୍ୱିଟରକୁ ନିଜ ନିୟନ୍ତ୍ରଣକୁ ନେବା କ୍ଷଣି ଏଲନ୍ ମସ୍କ କମ୍ପାନୀର ତିନିଜଣ ବରିଷ୍ଠ ଅଧିକାରୀଙ୍କୁ ବରଖାସ୍ତ କରିଛନ୍ତି। ଏମାନଙ୍କ ମଧ୍ୟରେ ଦୁଇଜଣ ଭାରତୀୟ ବଂଶୋଦ୍ଭବ ଅଧିକାରୀ ଅଛନ୍ତି । ମସ୍କ ପ୍ରଥମେ ସିଇଓ ପଦରୁ ପରାଗ ଅଗ୍ରୱାଲଙ୍କୁ ହଟାଇ ନିଜେ ଏହି ପଦ ସମ୍ଭାଳିଛନ୍ତି । ଟ୍ବିଟରରେ ନକଲି ଆକାଉଣ୍ଟକୁ ନେଇ ପରାଗ ଓ ମସ୍କଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା । ଯେଉଁ କାରଣରୁ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା ।

ମସ୍କ ଏବେ ନିଜେ ଟ୍ୱିଟରର ମଧ୍ୟବର୍ତ୍ତୀକାଳୀନ ସିଇଓ ହୋଇଛନ୍ତି । ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ମସ୍କ ପରାଗ ଅଗ୍ରୱାଲଙ୍କ ସମେତ ଯେଉଁ ତିନିଜଣ ବରିଷ୍ଠ ଟ୍ୱିଟର କାର୍ଯ୍ୟନିର୍ବାହୀଙ୍କୁ ବିଦା କରିଛନ୍ତି, ସେମାନଙ୍କୁ ନିଯୁକ୍ତି ନିୟମ ଅନୁସାରେ ପ୍ରାୟ ୧୦୦ ମିଲିୟନ୍ ଡଲାର (୮୦୦ କୋଟି) କ୍ଷତିପୂରଣ ଦେବାକୁ ପଡ଼ିବ। କାରଣ ଏହି ତିନି ବରିଷ୍ଠ ଅଧିକାରୀଙ୍କୁ ଟ୍ବିଟର ପରିଚାଳନା ବଦଳିବାର ୧୨ ମାସ ପୂର୍ବରୁ ବିଦା କରାଯାଇଛି ।

ପରାଗ ଅଗ୍ରୱାଲଙ୍କୁ ୫୦ ମିଲିୟନ ଡଲାର (ପ୍ରାୟ ୪୧୨ କୋଟି ଟଙ୍କା), ଟ୍ୱିଟରର ସିଏଫଓ ନେଡ ସେଗାଲ ୩୭ ମିଲିୟନ ଡଲାର (ପ୍ରାୟ ୩୦୪ କୋଟି ଟଙ୍କା) ଏବଂ କମ୍ପାନୀର ଆଇନ ବ୍ୟାପାର ମୁଖ୍ୟ ବିଜୟା ଗାଡେଙ୍କୁ ୧୭ ମିଲିୟନ୍ ଡଲାର ଅର୍ଥାତ୍ ପ୍ରାୟ ୧୪୦ କୋଟି ଦିଆଯିବ।