ଦିନକ ପୂର୍ବରୁ ଶେଷ ହେଲା ସଂସଦର ଶୀତକାଳୀନ ଅଧିବେଶନ | News Room Odisha

ଦିନକ ପୂର୍ବରୁ ଶେଷ ହେଲା ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ: ଧାର୍ଯ୍ୟ ସମୟର ଗୋଟିଏ ଦିନ ପୂର୍ବରୁ ସଂସଦର ଶୀତକାଳୀନ ଅଧିବେଶନ ଶେଷ ହୋଇଛି । ୧୨ ସାଂସଦଙ୍କ ନିଲମ୍ବନକୁ ନେଇ ବିରୋଧୀଙ୍କ ହଙ୍ଗାମା ମଧ୍ୟରେ ଆଜି ସଂସଦର ବୈଠକ ଆରମ୍ଭ ହେବା ମାତ୍ରେ ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ମୁଲତବୀ ରଖିବାକୁ ଘୋଷଣା କରାଯାଇଥିଲା। ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଗୃହ ଚଳାଇ ନ ପାରିବା ନେଇ ଅସନ୍ତୋଷ ବ୍ୟକ୍ତ କରି ସାଂସଦମାନଙ୍କୁ କହିଥିଲେ ଯେ ‘ଗୃହ କ୍ଷମତାଠାରୁ ବହୁତ କମ୍ ଚାଲିଛି। ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଏହି ଗୃହରେ କାର୍ଯ୍ୟ କେତେ ଭଲ ହୋଇଥାନ୍ତା ସେନେଇ ସମୀକ୍ଷା କରନ୍ତୁ ।

ଅନ୍ୟପକ୍ଷରେ ଗତକାଲି ଗୃହରୁ ନିଲମ୍ବିତ ହୋଇଥିବା ତୃଣମୂଳ କଂଗ୍ରେସର ରାଜ୍ୟସଭା ସାଂସଦ ଡେରେକ ଓ’ବ୍ରାଏନ୍ ଆଜି ସଂସଦ ପରିସରରେ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ୧୨ ଜଣ ନିଲମ୍ବିତ ସାଂସଦଙ୍କ ସହ ଧାରଣାରେ ବସିଥିଲେ । ଡେରେକ୍ ଗୃହର ରୁଲ୍ ବୁକ୍ ଚିରି ଫିଙ୍ଗିଥିବା ଅଭିଯୋଗ ହୋଇଛି। ତେବେ ସେ ଏହାକୁ ଅସ୍ୱୀକାର କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ଲୋକସଭାରେ ଝିଅମାନଙ୍କର ବିବାହ ବୟସ ୧୮ ରୁ ୨୧କୁ ବୃଦ୍ଧି କରିବାକୁ ସରକାର ଏକ ବିଲ୍ ଉପସ୍ଥାପନ କରିଥିଲେ। ଏଥି ସହିତ ନିର୍ବାଚନ ଆଇନ ସଂଶୋଧନ ବିଲ୍ ସୋମବାର ଲୋକସଭା ଦ୍ୱାରା ଅନୁମୋଦିତ ହୋଇଥିଲା, ଯାହା ବିରୋଧୀଙ୍କ ପ୍ରବଳ ବିରୋଧ ମଧ୍ୟରେ ଗତକାଲି ରାଜ୍ୟସଭାରେ ମଧ୍ୟ ପାରିତ ହୋଇଥିଲା। ଶୀତକାଳୀନ ଅଧିବେଶନର ଶେଷ ସପ୍ତାହରେ ମଙ୍ଗଳବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ସଂସଦୀୟ ଦଳର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା।