ସୁପ୍ରିମକୋର୍ଟ, ହାଇକୋର୍ଟ ଜଜଙ୍କ ପାଇଁ ସମ୍ପତ୍ତି ତାଲିକା ଘୋଷଣା କରିବା ହେବ ବାଧ୍ୟତାମୂଳକ, ସଂସଦୀୟ କମିଟି କଲା ସୁପାରିସ | News Room Odisha

ସୁପ୍ରିମକୋର୍ଟ, ହାଇକୋର୍ଟ ଜଜଙ୍କ ପାଇଁ ସମ୍ପତ୍ତି ତାଲିକା ଘୋଷଣା କରିବା ହେବ ବାଧ୍ୟତାମୂଳକ, ସଂସଦୀୟ କମିଟି କଲା ସୁପାରିସ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ବିଚାରପତିଙ୍କ ପାଇଁ ପ୍ରତିବର୍ଷ ନିଜ ସମ୍ପତ୍ତି ତାଲିକା ଘୋଷଣା କରିବା ବାଧ୍ୟତାମୂଳକ ହୋଇପାରେ । ଏନେଇ ଏକ ଆଇନ ଆଣିବା ପାଇଁ ନିକଟରେ ଏକ ସଂସଦୀୟ କମିଟି ସୁପାରିସ କରିଛି। କାର୍ମିକ, ଜନ ଅଭିଯୋଗ, ଆଇନ ଏବଂ ନ୍ୟାୟ ବିଭାଗର ସଂସଦୀୟ ଷ୍ଟାଣ୍ଡିଂ କମିଟି ଏହାର ଏକ ରିପୋର୍ଟରେ କହିଛି ଯେ ଏକ ସାଧାରଣ ପ୍ରଥା ଭାବେ ସମସ୍ତ ସାମ୍ବିଧାନିକ ପଦାଧିକାରୀ ଏବଂ ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କର ସମ୍ପତ୍ତି ଏବଂ ଦାନ ସମ୍ବନ୍ଧୀୟ ବାର୍ଷିକ ରିଟର୍ଣ୍ଣ ଦାଖଲ କରିବାକୁ ହେବ ।

ବିଜେପିର ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦୀଙ୍କ ନେତୃତ୍ୱରେ ସଂସଦୀୟ କମିଟି କହିଛି, “ସାଂସଦ କିମ୍ବା ବିଧାୟକ ଭାବେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ସମ୍ପତ୍ତି ସମ୍ପର୍କିତ ସୂଚନା ଜାଣିବାର ଅଧିକାର ଜନସାଧାରଣଙ୍କ ରହିଛି ବୋଲି ସୁପ୍ରିମକୋର୍ଟ ଯେତେବେଳେ କହୁଛନ୍ତି, ତେବେ ବିଚାରପତିମାନେ ନିଜ ସମ୍ପତ୍ତି ତାଲିକା ଘୋଷଣା କରିବା କ’ଣ ଭୁଲ ? ସର୍ବସାଧାରଣ ପଦରେ ଥିବା ଓ ସରକାରୀ ରାଜକୋଷରୁ ବେତନ ପାଉଥିବା ଯେକୌଣସି ବ୍ୟକ୍ତି ବାଧ୍ୟତାମୂଳକ ଭାବେ ନିଜ ସମ୍ପତ୍ତିର ବାର୍ଷିକ ରିଟର୍ଣ୍ଣ ଦାଖଲ କରିବେ।

୨୦୦୯ ମସିହାରେ ସୁପ୍ରିମକୋର୍ଟର ଏକ ପୂର୍ଣ୍ଣ ପୀଠ ସୁପ୍ରିମକୋର୍ଟର ୱେବସାଇଟରେ ସମ୍ପତ୍ତି ଘୋଷଣାକୁ ସମ୍ପୂର୍ଣ୍ଣ ସ୍ବେଚ୍ଛାକୃତ ଭିତ୍ତିରେ ରଖିବା ବିଷୟରେ କହିଥିଲେ। ତେବେ ବର୍ତ୍ତମାନ ସୁପ୍ରିମକୋର୍ଟ ୱେବସାଇଟରେ ଭାରତର ୫୫ ଜଣ ପୂର୍ବତନ ପ୍ରଧାନ ବିଚାରପତି ଏବଂ ବିଚାରପତିଙ୍କ ସମ୍ବନ୍ଧରେ ସମ୍ପତ୍ତି ଘୋଷଣା ସହ ଜଡିତ ତଥ୍ୟ ରହିଛି, ଯାହା ମାର୍ଚ୍ଚ ୨୦୧୮ରେ ଶେଷ ଥର ପାଇଁ ଅପଡେଟ୍ କରାଯାଇଥିଲା।

ସେହିଭଳି କେବଳ ପାଞ୍ଚଟି ହାଇକୋର୍ଟର ୱେବସାଇଟରେ ସମ୍ପୃକ୍ତ ଅଦାଲତର କିଛି ବିଚାରପତି ସେମାନଙ୍କ ସମ୍ପତ୍ତି ଘୋଷଣା କରିଛନ୍ତି। ବିଚାରପତିଙ୍କ ସମ୍ପତ୍ତି ସମ୍ପର୍କିତ ତଥ୍ୟ ଘୋଷଣା କରିବା ପାଇଁ ଉଦ୍ଦିଷ୍ଟ “ଜୁଡିସିଆଲ୍ ଷ୍ଟାଣ୍ଡାର୍ଡ ଏବଂ ଆକାଉଣ୍ଟେବିଲିଟି ବିଲ୍”ର ବୈଧତା ୧୫ତମ ଲୋକସଭା ଭଙ୍ଗ ପରେ ଶେଷ ହୋଇଥିଲା ।