ବିଜେଡି ବିଧାୟକଙ୍କୁ ପାର୍ଟି ସୁପ୍ରିମୋ ନବୀନଙ୍କ ସମ୍ବୋଧନ : ନିଟ୍ ଓ ଜେଇଇ ପରୀକ୍ଷା ପାଇଁ ପିଲାଙ୍କୁ ସହଯୋଗ କରିବା ଉପରେ ଗୁରୁତ୍ୱାରୋପ, କୋରୋନା ଯୋଦ୍ଧାଙ୍କ ମନୋବଳ ବଢାଇବାକୁ ବିଧାୟକଙ୍କୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ | News Room Odisha

ବିଜେଡି ବିଧାୟକଙ୍କୁ ପାର୍ଟି ସୁପ୍ରିମୋ ନବୀନଙ୍କ ସମ୍ବୋଧନ : ନିଟ୍ ଓ ଜେଇଇ ପରୀକ୍ଷା ପାଇଁ ପିଲାଙ୍କୁ ସହଯୋଗ କରିବା ଉପରେ ଗୁରୁତ୍ୱାରୋପ, କୋରୋନା ଯୋଦ୍ଧାଙ୍କ ମନୋବଳ ବଢାଇବାକୁ ବିଧାୟକଙ୍କୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଶାସକ ବିଜେଡି ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବୋଧନ କରିଛନ୍ତି । ସମ୍ବୋଧନରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟରେ ହେବାକୁ ଥିବା ଜେଇଇ ଓ ନିଟ ପରୀକ୍ଷା ସଂପର୍କରେ ଉଲ୍ଲେଖ କରି କହିଛନ୍ତି ଯେ, ସବୁ ପିଲା ଆମ ପରିବାରର । ଏହି କଠିନ ସମୟରେ ସେମାନଙ୍କୁ ସହଯୋଗ କରିବା ସହ ସେମାନେ ଯେପରି ଭଲରେ ପରୀକ୍ଷା ଦେବେ,ତାହା ନିଶ୍ଚିତ କରନ୍ତୁ ବୋଲି ଦଳୀୟ ବିଧାୟକଙ୍କୁ ଆହ୍ୱାନ ଦେଇଛନ୍ତି ନବୀନ । ବିଧାୟକଙ୍କୁ ନବୀନ କହିଥିଲେ ଯେ, କୋଭିଡ ଓ ବନ୍ୟା ପରିସ୍ଥିତି ଦୃଷ୍ଟିରୁ ସେ ନିଟ୍ ଓ ଜେଇ ପରୀକ୍ଷା ଘୁଂଚାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ତାହା ହେଲା ନାହିଁ । ବର୍ତମାନ ୪୮ ଘଂଟାରୁ କମ୍ ସମୟ ରହିଛି । ପିଲାମାନେ ଯେପରି ଭଲରେ ଭଲରେ ପରୀକ୍ଷା ଦେଇପାରିବେ, ସେଥିପାଇଁ ରାଜ୍ୟ ସରକାର ମାଗଣାରେ ପରିବହନ ଓ ରହିବା ବ୍ୟବସ୍ଥା କରିଛନ୍ତି । ନିଜ ନିଜ ଅଂଚଳର ପିଲାମାନେ ଯେପରି ସୁବିଧାରେ ପରୀକ୍ଷା ଦେବେ, ସେଥିରେ ସହଯୋଗ କରିବାକୁ ନବୀନ ବିଧାୟକମାନଙ୍କୁ ଆହ୍ୱାନ ଦେଇଛନ୍ତି ।

ରାଜ୍ୟରେ କୋରୋନା ପରିସ୍ଥିତି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନରେ ସ୍ଥାନ ପାଇଥିଲା । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶା କୋରୋନାର କଡା ମୁକାବିଲା କରୁଛି । କୋଭିଡ ଯୋଦ୍ଧାଙ୍କ ତ୍ୟାଗ ଓ ପରିଶ୍ରମ ଏବଂ ବିଧାୟକଙ୍କ ସହଯୋଗ ଯୋଗୁଁ ରାଜ୍ୟରେ ଆରୋଗ୍ୟ ହାର ବଢୁଛି । ମୃତ୍ୟୁ ହାର ମଧ୍ୟ କମ ରହିଛି । ଏହି ସଂକଟ ସମୟରେ ଲୋକଙ୍କ ସହ ରହିବା ପାଇଁ ମୁଖ୍ୟମନ୍ତ୍ରୀ ବିଧାୟକଙ୍କୁ କହିଛନ୍ତି । କୋଭିଡ ଯୋଦ୍ଧାଙ୍କ ମନୋବଳ ବଢାଇବା ପାଇଁ ସେ ବିଧାୟକଙ୍କୁ ଆହ୍ୱାନ ଦେଇଛନ୍ତି । ସେମାନଙ୍କ କାମକୁ ପ୍ରଶଂସା କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ମୃତ କୋଭିଡ ରୋଗୀଙ୍କ ଶବ ସତ୍କାର କ୍ଷେତ୍ରରେ କେତେକ ଅସୁବିଧା ହେଉଛି । ଏଥିପାଇଁ ଲୋକଙ୍କୁ ସଚେତନ କରାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି ନବୀନ । ମୃତ ଦେହ ସଂସ୍କାରରେ ସହଯୋଗ କରିବା ପାଇଁ ଦଳୀୟ ବିଧାୟକଙ୍କୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଗଂଜାମ ଜିଲ୍ଲାରେ କୋରୋନା ପରିସ୍ଥିତିରେ ଉନ୍ନତି ଆସିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ପରିସ୍ଥିତିରେ ଉନ୍ନତି ଯୋଗୁଁ ଜିଲ୍ଲାରେ ୫ଟି କୋଭିଡ ଗୃହ ବନ୍ଦ କରିଦିଆଯାଇଛି ବୋଲି ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ । ତେବେ,ଖୋର୍ଧା ଓ କଟକ ଜିଲ୍ଲା ସ୍ଥିତିରେ ଉନ୍ନତି ଆଣିବାକୁ ଆହୁରି ଅଧିକ ପରିଶ୍ରମ କରିବାକୁ ପଡିବ । ନିଜେ ଯତ୍ନବାନ ହେବା ସହ ଲୋକଙ୍କୁ ସଚେତନ କରିବା ପାଇଁ ବିଧାୟକମାନଙ୍କୁ କହିଛନ୍ତି ବିଜେଡି ସୁପ୍ରିମୋ । କୋଭିଡ ଯୋଗୁଁ ଅନ୍ୟ ରାଜ୍ୟରୁ ୧୦ ଲକ୍ଷ ଓଡିଆ ରାଜ୍ୟକୁ ଫେରିଛନ୍ତି । ସେମାନଙ୍କ ମଧରୁ କେହି ବି ଯୋଗ୍ୟ ଲୋକ ଯେପରି ଖାଦ୍ୟ ସୁରକ୍ଷାରୁ ବଂଚିତ ହେବେ ନାହିଁ , ସେଥିପ୍ରତି ଧ୍ୟାନ ଦେବାକୁ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ସେହିପରି ଅନ୍ୟ ରାଜ୍ୟରୁ ଆସିଥିବା ପ୍ରବାସୀ ଓଡିଆମାନେ ଯେପରି ନିର୍ମାଣ ଶ୍ରମିକ ଯୋଜନାରେ ସୁବିଧାରେ ପଂଜୀକରଣ କରିପାରିବେ , ସେ ନେଇ ସହଯୋଗ କରିବାକୁ ବି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ନିଜ ଉଦବୋଧନରେ କହିଥିଲେ ଯେ, ରାଜ୍ୟରେ ଲଘୁଚାପ ବର୍ଷା ଯୋଗୁଁ ବନ୍ୟା ଆସିଛି । ଲୋକଙ୍କ ସହିତ ଏସମୟରେ ରହିବା ପାଇଁ ବିଧାୟକଙ୍କୁ କହିଛନ୍ତି ନବୀନ । ଲୋକଙ୍କ ଅସୁବିଧା ଦୂର ପାଇଁ ରାଜ୍ୟ ସରକାର ସବୁ ସୁବିଧା ଯୋଗାଇ ଦେବେ ।

ବର୍ତମାନ କେବଳ ଓଡିଶା ନୁହେଁ, ସାରା ଭାରତର ଅର୍ଥନୀତି ଆହ୍ୱାନମୂଳକ ସମୟ ଦେଇ ଗତିକରୁଛି । ଲୋକଙ୍କ କଲ୍ୟାଣ ପାଇଁ ବିଧାୟକ ପାଂଠିକୁ ଆଉ ୧ କୋଟି ଟଙ୍କା ଦେବା ପାଇଁ ସେ ନିର୍ଦ୍ଦେଶ ଦେଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଟଙ୍କାରେ ସ୍ୱଂୟ ସହାୟକ ଗୋଷ୍ଠୀରୁ ମାସ୍କ ମଧ୍ୟ କିଣାଯାଇପାରିବ । ଏହାଦ୍ୱାରା ସ୍ୱଂୟ ସହାୟକ ଗୋଷ୍ଠୀର ମହିଳାମାନେ ରୋଜଗାର ପାଇବା ସହ ଲୋକେ ବି ନିରାପଦ ରହିବେ ବୋଲି ଦର୍ଶାଇଥିଲେ ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ନିଜ ସମ୍ବୋଧନରେ କହିଥିଲେ ଯେ,ସାଢେ ଚାରି କୋଟି ଓଡିଶାବାସୀ ହେଉଛନ୍ତି ତାଙ୍କ ପରିବାର । ସେମାନଙ୍କ କଲ୍ୟାଣ ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ନବୀନ କହିଥିଲେ । ଓଡିଶା –ମୋ ପରିବାର ପ୍ରୋଗ୍ରାମରେ ଏ ସମୟରେ ପିଲାଙ୍କୁ ସବୁ ସହ ଯୋଗ ଦିଆଯିବ । ଅଧିକ ରକ୍ତଦାନ କ୍ୟାମ୍ପ ପାଇଁ ଅଧିକ କାମ କରିବା ପାଇଁ ବିଧାୟକମାନଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

CM Naveen Patnaik