ବିହାର ସରକାରଙ୍କୁ ଝଟକା, ଜାତି ଭିତ୍ତିକ ଜନଗଣନା ଉପରେ ରୋକ୍ ଲଗାଇଲେ ହାଇକୋର୍ଟ | News Room Odisha

ବିହାର ସରକାରଙ୍କୁ ଝଟକା, ଜାତି ଭିତ୍ତିକ ଜନଗଣନା ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

ପାଟନା: ବିହାରରେ ଚାଲିଥିବା ଜାତି ଭିତ୍ତିକ ଜନଗଣନା ଏବଂ ଅର୍ଥନୈତିକ ସର୍ଭେ ଉପରେ ପାଟନା ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି । ହାଇକୋର୍ଟ ମୁଖ୍ୟ ବିଚାରପତି ଭି ଚନ୍ଦ୍ରନଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ଏହି ଆଦେଶ ଦେବା ସହ ଜାତି ଭିତ୍ତିକ ଜନଗଣନାରୁ ସଂଗୃହିତ ତଥ୍ୟ ସଂରକ୍ଷଣ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୩ରେ ହେବ।

ହାଇକୋର୍ଟଙ୍କ ସ୍ଥଗିତାଦେଶ ନୀତିଶ କୁମାର ସରକାର ପାଇଁ ବଡ଼ ଝଟକା ସଦୃଶ ହୋଇଛି । ବିହାରରେ ଜାତି ଭିତ୍ତିକ ଜନଗଣନାର ସମ୍ପ୍ରତି ଦ୍ୱିତୀୟ ପର୍ଯ୍ୟାୟ ଚାଲିଥିଲା।

ପାଟନା ହାଇକୋର୍ଟରେ ଜାତି ଜନଗଣନା ମାମଲାର ଶୁଣାଣି ବେଳେ କୋର୍ଟ ଏହା ଆଇନତଃ ବାଧ୍ୟତାମୂଳକ କି ବୋଲି ବିହାର ସରକାରଙ୍କୁ ପଚାରିଥିଲେ । ଜାତିଗତ ଜନଗଣନା କରିବା ସରକାରଙ୍କ ଅଧିକାର ଅଛି କି ନାହିଁ? ଏଭଳି ସର୍ଭେର ଉଦ୍ଦେଶ୍ୟ କ’ଣ? ଏ ବିଷୟରେ କୌଣସି ଆଇନ ଅଛି କି ଆଦି ପ୍ରଶ୍ନ ଉଠାଇଥିଲେ କୋର୍ଟ । ଜାତି ଗଣନା ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାୟର ହୋଇଥିଲା। ଏହା ପରେ ସୁପ୍ରିମକୋର୍ଟ ପାଟନା ହାଇକୋର୍ଟକୁ ମାମଲାର ତିନି ଦିନ ମଧ୍ୟରେ ଶୁଣାଣି କରି ଅନ୍ତରୀଣ ଆଦେଶ ଦେବାକୁ କହିଥିଲେ ।

ଅନ୍ୟପକ୍ଷରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ ସମସ୍ତ ଲୋକଙ୍କ ମତାମତ ଆଧାରରେ ଜାତି ଭିତ୍ତିକ ଜନଗଣନା କରିବାକୁ ନିଷ୍ପତ୍ତି ହୋଇଥିଲା। ସମସ୍ତଙ୍କ ସୁବିଧା ପାଇଁ ଏହା କରାଯାଉଛି | କିନ୍ତୁ ଏହାକୁ କାହିଁକି ବିରୋଧ ହେଉଛି ମୁଁ ବୁଝିପାରୁ ନାହିଁ। ସେ କହିଥିଲେ ଯେ ବ୍ରିଟିଶ ଯୁଗରେ ମଧ୍ୟ ଜାତି ଭିତ୍ତିକ ଜନଗଣନା ହେଉଥିଲା, କିନ୍ତୁ ୧୯୩୧ରୁ ଏହା ବନ୍ଦ ହୋଇଯାଇଥିଲା |