ବିଲକିସ୍ ବାନୋ, ଚାଷୀଙ୍କ ସମସ୍ୟା ଓ ବେକାରୀ ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ଶରଦ ପାଓ୍ବାରଙ୍କ ଆକ୍ରମଣ  | News Room Odisha

ବିଲକିସ୍ ବାନୋ, ଚାଷୀଙ୍କ ସମସ୍ୟା ଓ ବେକାରୀ ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ଶରଦ ପାଓ୍ବାରଙ୍କ ଆକ୍ରମଣ 

ନୂଆଦିଲ୍ଲୀ: ଆସନ୍ତା ମାସରେ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ବିଜେପି ବିରୋଧୀ ଦଳ ମାନଙ୍କୁ ଏକଜୁଟ ହେବାକୁ ଆହ୍ବାନ କରିଛି। ଏହି ପ୍ରସଙ୍ଗରେ ଦଳର ମୁଖ୍ୟ ଶରଦ ପାୱାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଇଛି। ଦିଲ୍ଲୀରେ ଏନସିପିର ସମ୍ପ୍ରସାରିତ କାର୍ଯ୍ୟ କମିଟିକୁ ସମ୍ବୋଧିତ କରି ପାୱାର କେନ୍ଦ୍ର ସରକାର ଉପରେ ଜୋରଦାର ଆକ୍ରମଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର କୃଷକ ବିରୋଧୀ ଏବଂ ବେକାରୀ ସମସ୍ୟା ମୁକାବିଲା କରିବାରେ ବିଫଳ ହୋଇଛନ୍ତି ବୋଲି ପାଓ୍ବାର ଅଭିଯୋଗ କରିଛନ୍ତି । ବିଲକିସ୍ ବାନୋ ଗଣ ବଳାତ୍କାର ମାମଲାରେ ଦୋଷୀମାନଙ୍କୁ ମୁକ୍ତ କରିବା ନେଇ ମଧ୍ୟ ସେ ବିଜେପିକୁ ସମାଲୋଚନା କରିଛନ୍ତି ।

ପାୱାର କହିଛନ୍ତି , ‘ମୁଁ ଆଶ୍ଚର୍ଯ୍ୟଚକିତ ଯେ ପ୍ରଧାନମନ୍ତ୍ରୀ ମହିଳାଙ୍କ ସମ୍ମାନ ରକ୍ଷା କଥା କହୁଥିବା ବେଳେ ତାଙ୍କ ରାଜ୍ୟରେ ବିଜେପି ସରକାର ବିଲକିସ୍ ବାନୋ ଏବଂ ତାଙ୍କ ପରିବାରକୁ ନିର୍ଯାତନା ଦେଇଥିବା ଲୋକଙ୍କ ଦଣ୍ଡ କୋହଳ କରିଛନ୍ତି।”

ଏନସିପିର ପୁଣି ଜାତୀୟ ସଭାପତି ଭାବେ ନିଯୁକ୍ତ ହୋଇଥିବା ପାୱାର କହିଛନ୍ତି ଯେ କୃଷକମାନେ ସେମାନଙ୍କର ଧାନ ଫସଲ ପାଇଁ ଉପଯୁକ୍ତ ମୂଲ୍ୟ ପାଇବାକୁ ଚାହିଁ ବସିଥିବା ବେଳେ ସରକାର ଚାଉଳ ଉପରେ ୨୦ ପ୍ରତିଶତ ରପ୍ତାନି ଶୁଳ୍କ ଲଗାଇବା ସହ ଖୁଦ ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

ପାୱାର କହିଛନ୍ତି, ଦେଶ ଆଜି ଗଭୀର ଯନ୍ତ୍ରଣା ଭୋଗୁଛି । ଆମକୁ ପ୍ରତ୍ୟେକ ପ୍ଲାଟଫର୍ମରେ ଏହି ସବୁ ସମସ୍ୟା ଜୋରଦାର ଭାବେ ଉଠାଇବାକୁ ପଡ଼ିବ।

ଡିସେମ୍ବର ମାସରେ ବିଜେପି ଶାସିତ ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ରାଜସ୍ଥାନ ଏବଂ କର୍ଣ୍ଣାଟକ ସମେତ ଅନ୍ୟ ନଅଟି ରାଜ୍ୟରେ ଆସନ୍ତା ବର୍ଷ ନିର୍ବାଚନ ହେବ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ପାୱାରଙ୍କ ସହ ଆଲୋଚନା କରିଛନ୍ତି ଏବଂ ବିଜେପିର ମୁକାବିଲା ପାଇଁ ବିରୋଧୀ ଏକତା ଉପରେ ଗୁରୁତ୍ୱାରୋପ କରିଛନ୍ତି।