ଆଦାନୀ ଗ୍ରୁପକୁ କଂଗ୍ରେସ ସହଯୋଗୀ ଏନସିପିର ସମର୍ଥନ, ଜେପିସି ତଦନ୍ତ ଦାବି ନେଇ ପ୍ରଶ୍ନ ଉଠାଇଲେ ପାଓ୍ବାର | News Room Odisha

ଆଦାନୀ ଗ୍ରୁପକୁ କଂଗ୍ରେସ ସହଯୋଗୀ ଏନସିପିର ସମର୍ଥନ, ଜେପିସି ତଦନ୍ତ ଦାବି ନେଇ ପ୍ରଶ୍ନ ଉଠାଇଲେ ପାଓ୍ବାର

ନୂଆଦିଲ୍ଲୀ: ଆଦାନୀ-ହିଣ୍ଡେନବର୍ଗ ପ୍ରସଙ୍ଗରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ନେତାମାନେ ଜେପିସି ତଦନ୍ତ ଦାବି କରୁଥିବାବେଳେ ଏନ୍‌ସିପି ମୁଖ୍ୟ ଶରଦ ପାୱାର ଉକ୍ତ ପ୍ରସଙ୍ଗରେ ଭିନ୍ନ ମତ ରଖିଛନ୍ତି। ଆଦାନୀ ମାଲିକାନାରେ ଥିବା ଏନ୍‌ଡିଟିଭିକୁ ଏକ ସାକ୍ଷାତକାର ଦେଇ ପାଓ୍ବାର କହିଛନ୍ତି, ଆଦାନୀ-ହିଣ୍ଡେନବର୍ଗ ପ୍ରସଙ୍ଗରେ ତାଙ୍କ ମେଣ୍ଟ ସହଯୋଗୀ କଂଗ୍ରେସର ମତରେ ସେ ଏକମତ ନୁହନ୍ତି । ପାଓ୍ବାର ଆଦାନି ଗ୍ରୁପ୍‌କୁ ସମର୍ଥନ କରିଛନ୍ତି ଏବଂ ହିଣ୍ଡେନବର୍ଗ ରିପୋର୍ଟକୁ କଡ଼ା ସମାଲୋଚନା କରିଛନ୍ତି।
ପାୱାର କହିଛନ୍ତି, ଦେଶର ଏକ ଶିଳ୍ପ ଗୋଷ୍ଠୀକୁ ବିଦେଶୀ ସଂସ୍ଥା ଦ୍ବାରା ଟାର୍ଗେଟ୍ କରାଯାଇଛି । ଯେମିତି ସେମାନେ କିଛି ଭୁଲ୍ କରିଦେଇଛନ୍ତି ତାହା ଦେଖାଇବାକୁ ଚେଷ୍ଟା କରାଯାଇଛି। ଏନେଇ ତଦନ୍ତ ହେବା ଉଚିତ। ସଂସଦରେ ଉକ୍ତ ପ୍ରସଙ୍ଗରେ ଜେପିସି ତଦନ୍ତ ପାଇଁ ଦାବି ହୋଇଛି। କିନ୍ତୁ ମୋର ଉକ୍ତ ପ୍ରସଙ୍ଗରେ ଭିନ୍ନ ମତ ରହିଛି ବୋଲି ପାୱାର କହିଛନ୍ତି।

ପାଓ୍ବାରଙ୍କ ଏପରି ବୟାନ କଂଗ୍ରେସ ବିଶେଷକରି ରାହୁଲ ଗାନ୍ଧୀଙ୍କ ପାଇଁ ଏକ ବଡ଼ ଝଟକା ସଦୃଶ ହୋଇଛି । କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଘେରିବାକୁ ରାହୁଲ ଓ ତାଙ୍କ ଦଳ ପାଇଁ ଏହି ପ୍ରସଙ୍ଗ ଏକ ବଡ଼ ଅସ୍ତ୍ର ପାଲଟିଥିଲା ।

ଅନ୍ୟପକ୍ଷେ ଶରଦ ପାୱାରଙ୍କ ଟିପ୍ପଣୀଠାରୁ କଂଗ୍ରେସ ନିଜକୁ ଦୂରେଇ ରଖିଛି। ପାୱାରଙ୍କ ଟିପ୍ପଣୀ ଉପରେ ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସ କହିଛି, ଏହା ଏନ୍‌ସିପିର ମତ ହୋଇଥାଇପାରେ କିନ୍ତୁ ୧୯ଟି ବିରୋଧୀ ଦଳ ଏହା ବୁଝିସାରିଛନ୍ତି ଯେ ଆଦାନି ଗ୍ରୁପ୍ ପ୍ରସଙ୍ଗ ଅତି ବାସ୍ତବ ଏବଂ ସାଂଘାତିକ। କଂଗ୍ରେସ ମୁଖପାତ୍ର ଜୟରାମ ରମେଶ ଆଜି ଏକ ବିବୃତି ଜାରି କରି ଏହା କହିଛନ୍ତି।