ପେଣ୍ଟାଗନ୍ ରିପୋର୍ଟରେ ଦାବି : ଏଲ୍ଏସିରେ ସୈନ୍ୟ ମୁତୟନ ବଢ଼ାଉଛି ଚୀନ୍, ନିର୍ମାଣ କରୁଛି ହେଲିପ୍ୟାଡ୍, ଅଣ୍ଡର ଗ୍ରାଉଣ୍ଡ ଷ୍ଟୋର | News Room Odisha

ପେଣ୍ଟାଗନ୍ ରିପୋର୍ଟରେ ଦାବି : ଏଲ୍ଏସିରେ ସୈନ୍ୟ ମୁତୟନ ବଢ଼ାଉଛି ଚୀନ୍, ନିର୍ମାଣ କରୁଛି ହେଲିପ୍ୟାଡ୍, ଅଣ୍ଡର ଗ୍ରାଉଣ୍ଡ ଷ୍ଟୋର

ନୂଆଦିଲ୍ଲୀ: ସୀମାରେ ପୁଣି ଚୀନ୍‌ ସେନାର ଗତିବିଧି ବଢ଼ିଛି। ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍ଏସି) ନିକଟରେ ମୁତୟନ ହୋଇଥିବା ଚୀନୀ ସୈନ୍ୟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାଛଡ଼ା ଲଦ୍ଦାଖ ଓ ଡୋକଲାମ ନିକଟ ଏଲ୍ଏସିରେ ଅଣ୍ଡରଗ୍ରାଉଣ୍ଡ ଷ୍ଟୋର, ସଡ଼କ, ଏୟାରଫିଲ୍ଡ ଏବଂ ହେଲିପ୍ୟାଡ୍ ନିର୍ମାଣ କରୁଛି ଚୀନ୍ । ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନର‌ ଏକ ରିପୋର୍ଟରେ ଏଭଳି ଦାବି କରାଯାଇଛି, ଯାହା ଭାରତ ପାଇଁ ଚିନ୍ତାର କାରଣ ହୋଇପାରେ ।

ପେଣ୍ଟାଗନ୍ ରିପୋର୍ଟ ଅନୁସାରେ ୨୦୨୦ରେ ଭାରତ ସହ ଗଲଓ୍ବାନ୍ ଘାଟି ସଂଘର୍ଷ ପରେ ବି ୩,୪୮୮ କିଲୋମିଟର ବ୍ୟାପୀ ଏଲ୍ଏସିରେ ଚୀନ୍‌ ଏହାର ସର୍ବବୃହତ୍ ସେନା ବାହିନୀ ‘ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର’ର ମୁତୟନ ଜାରି ରଖିଛି ।

ସୀମା ବିବାଦ ନେଇ ଭାରତ-ଚୀନ୍ ମଧ୍ୟରେ ଗତ ଅକ୍ଟୋବର ୯-୧୦ରେ କର୍ପସ କମାଣ୍ଡର ସ୍ତରୀୟ ୨୦ତମ ରାଉଣ୍ଡ ଆଲୋଚନା ହୋଇଥିଲା । ଏହା ସତ୍ତ୍ୱେ ଡେପସାଙ୍ଗ୍ ଓ ଚାରିଙ୍ଗ ନିଙ୍ଗଲୁଙ୍ଗ ଡ୍ରେନ ଟ୍ରାକ୍ ଜଙ୍କସନରେ ଚୀନ୍‌ ଏହାର ସେନା ସଂଖ୍ୟା ହ୍ରାସ କରିନାହିଁ। ଚୀନ୍ ଏହାର ଆଣବିକ କ୍ଷମତାର ଦ୍ରୁତ ଆଧୁନିକୀକରଣ ଏବଂ ବିସ୍ତାର ଜାରି ରଖିଛି। ଚୀନ୍ ବାସ୍ତବ ନିୟନ୍ତ୍ରଣ ରେଖାରେ ବ୍ୟାପକ ମାତ୍ରାରେ ସେନା ମୁତୟନ କରିବାରେ ଲାଗିଛି ବୋଲିି ପେଣ୍ଟାଗନ୍ ରିପୋର୍ଟରେ କୁହାଯାଇଛି ।

ପେଣ୍ଟାଗନ୍ ରିପୋର୍ଟରେ କୁହାଯାଇଛି, “ଆସନ୍ତା ଏକ ଦଶନ୍ଧି ମଧ୍ୟରେ ଚୀନ୍ ଏହାର ଆଣବିକ କ୍ଷମତାର ଦ୍ରୁତ ଆଧୁନିକୀକରଣ, ବିବିଧକରଣ ଏବଂ ବିସ୍ତାର କରିବାକୁ ଚାହୁଁଛି। ମେ ୨୦୨୩ ସୁଦ୍ଧା ଚୀନ୍ ପାଖରେ ୫୦୦ରୁ ଅଧିକ କାର୍ଯ୍ୟକ୍ଷମ ଆଣବିକ ଅସ୍ତ୍ର ଥିଲା ଯାହାକି ପୂର୍ବ ଆକଳନଠାରୁ ଢେର ଅଧିକ।

ଚୀନ୍ ପାରମ୍ପରିକ ଭାବେ ସଶସ୍ତ୍ର ଆନ୍ତଃ ମହାଦେଶୀୟ ରେଞ୍ଜର ମିସାଇଲ୍ ବିକାଶ ପାଇଁ ଗବେଷଣା ଜାରି ରଖିବ। ଯଦି ଚୀନ୍ ଏଭଳି ମିସାଇଲ୍ ବିକଶିତ ଓ ମୁତୟନ କରେ, ତେବେ ଏହା ଆମେରିକା, ହାୱାଇ ଏବଂ ଆଲାସ୍କା ଭଳି ଟାର୍ଗେଟ୍ ପ୍ରତି ବିପଦ ସୃଷ୍ଟି କରିବ ବୋଲି ରିପୋର୍ଟରେ କୁହାଯାଇଛି।