ସନାତନ ଧର୍ମ ବିବାଦ: ଉଦୟନିଧି ଷ୍ଟାଲିନ, ଏ.ରାଜାଙ୍କ ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ | News Room Odisha

ସନାତନ ଧର୍ମ ବିବାଦ: ଉଦୟନିଧି ଷ୍ଟାଲିନ, ଏ.ରାଜାଙ୍କ ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ

ନୂଆଦିଲ୍ଲୀ: ସନାତନ ଧର୍ମ ବିରୋଧରେ ବୟାନ ନେଇ ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଓ ଏ.ରାଜାଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାୟର ହୋଇଛି । ଏହି ଦୁଇ ଡିଏମକେ ନେତାଙ୍କ ବିରୋଧରେ ଚେନ୍ନାଇର ଜଣେ ଓକିଲ ଏହି ପିଟିସନ ଦାୟର କରିଛନ୍ତି।

ଓକିଲ ଜଣକ ତାଙ୍କ ଆବେଦନରେ ଉଦୟନିଧି ଓ ଏ.ରାଜାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଦାବି କରିଛନ୍ତି। ଡିଏମକେ ନେତାମାନଙ୍କୁ ଏଭଳି ବୟାନ ଦେବାରୁ ବାରଣ କରାଯାଉ। ତାମିଲନାଡ଼ୁରେ ସନାତନ ଧର୍ମ ବିରୋଧରେ ଚାଲିଥିବା କାର୍ଯ୍ୟକ୍ରମଗୁଡିକୁ ଅସାମ୍ବିଧାନିକ ଘୋଷିତ କରିବାକୁ ମଧ୍ୟ ଆବେଦନକାରୀ ଦାବି କରିଛନ୍ତି । ଏପରି ଲୋକମାନଙ୍କୁ ସୀମା ପାର ଆର୍ଥିକ ପ୍ରୋତ୍ସାହନ ମିଳୁଛି କି ? ତା’ର ତଦନ୍ତ ହେବା ଆବଶ୍ୟକ । ଏଲଟିଟିଇ ସହିତ ଏହି ନେତାଙ୍କ ଲିଙ୍କ ମଧ୍ୟ ତଦନ୍ତ କରାଯିବା ଉଚିତ ବୋଲି ସେ ନିଜ ଆବେଦନରେ କହିଛନ୍ତି |

ଆବେଦନକାରୀ ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡଙ୍କୁ ତାଙ୍କ ଆବେଦନର ଶୀଘ୍ର ଶୁଣାଣି ପାଇଁ ଅନୁରୋଧ କରିଛନ୍ତି। ତେବେ ଶୁଣାଣି ପାଇଁ ସେ ନିର୍ଦ୍ଧାରିତ ପ୍ରକ୍ରିୟା ପାଳନ କରିବେ ବୋଲି ପ୍ରଧାନ ବିଚାରପତି ତାଙ୍କୁ କହିଥିଲେ ‌।

ଉଲ୍ଲେଖଯୋଗ୍ୟ, ଡିଏମକେ ନେତା ଉଦୟନିଧି ଷ୍ଟାଲିନ ନିକଟରେ ସନାତନ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ ସନାତନ ଧର୍ମ ସାମାଜିକ ନ୍ୟାୟ ବିରୋଧୀ ଏବଂ ଏହାର ମୂଳପୋଛ କରାଯିବା ଉଚିତ।

ସନାତନ ଧର୍ମକୁ କରୋନା ଭାଇରସ୍, ମ୍ୟାଲେରିଆ ଏବଂ ଡେଙ୍ଗୁ ସହ ତୁଳନା କରି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ କହିଥିଲେ ଯେ ଏଭଳି ଧର୍ମକୁ କେବଳ ବିରୋଧ କରାଯିବା ଉଚିତ ନୁହେଁ ବରଂ ବିଲୋପ କରିବା ଜରୁରୀ ।

ଆଉ ଜଣେ ଡିଏମକେ ନେତା ଏ.ରାଜା ମଧ୍ୟ ସନାତନ ଧର୍ମକୁ କୁଷ୍ଠରୋଗ ସହିତ ତୁଳନା କରି ନିଆଁରେ ଘିଅ ଢ଼ାଳିଥିଲେ।

ଡିଏମକେ ନେତାଙ୍କ ସନାତନ ବିରୋଧୀ ବୟାନ ପରେ ବିଜେପି ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ଉପରେ ଆକ୍ରମଣ ତୀବ୍ର କରିଛି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏହି ପ୍ରସଙ୍ଗରେ ବିରୋଧୀ ମେଣ୍ଟକୁ ଟାର୍ଗେଟ କରିଛନ୍ତି । ଇଣ୍ଡିଆ ମେଣ୍ଟ ସନାତନ ଧର୍ମକୁ ଧ୍ବଂସ କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି । ଡିଏମକେ ହେଉଛି ‘ଇଣ୍ଡିଆ’ ମେଣ୍ଟର ଏକ ସହଯୋଗୀ ଦଳ ।