ଅତିକ୍-ଅଶରଫ୍ ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ପିଟିସନ | News Room Odisha

ଅତିକ୍-ଅଶରଫ୍ ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ପିଟିସନ

ନୂଆଦିଲ୍ଲୀ: ପୂର୍ବତନ ସାଂସଦ ତଥା ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦ ଓ ତାଙ୍କ ଭାଇ ଅଶରଫଙ୍କ ହତ୍ୟା ଘଟଣାର ତଦନ୍ତ ଏକ ନିରପେକ୍ଷ ବିଶେଷଜ୍ଞ କମିଟି ଗଠନ ଦ୍ବାରା କରିବାକୁ ସୁପ୍ରିମକୋର୍ଟରେ ପିଟିସନ ଦାୟର ହୋଇଛି । ହତ୍ୟାକାଣ୍ଡର ତଦନ୍ତ ପାଇଁ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ କମିଟି ଗଠନ କରାଯାଉ ବୋଲି ଏଥିରେ ଦାବି କରାଯାଇଛି।

ଓକିଲ ବିଶାଲ ତିୱାରୀ ଏହି ପିଟିସନ ଦାୟର କରିଛନ୍ତି । ସେ ତାଙ୍କ ଆବେଦନରେ ୨୦୧୭ ମସିହାରୁ ୟୁପିରେ ଘଟିଥିବା ୧୮୩ ପୋଲିସ୍ ଏନକାଉଣ୍ଟର ଘଟଣାର ତଦନ୍ତ କରିବାକୁ ମଧ୍ୟ ଦାବି କରିଛନ୍ତି।

ପୋଲିସ ହେପାଜତରେ ପୂର୍ବତନ ସାଂସଦ ଅତିକ୍ ଅହମ୍ମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଶୁକ୍ରବାର ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଉଭୟଙ୍କୁ ମେଡିକାଲ ଚେକଅପ୍ ପାଇଁ ନିଆଯାଉଥିବା ବେଳେ ସାମ୍ବାଦିକ ବେଶରେ ଆସି ତିନିଜଣ ଯୁବକ ଅତିକ୍ ଓ ଅଶରଫଙ୍କୁ ଅତି ନିକଟରୁ ଗୁଳିମାଡ଼ କରିଥିଲେ । ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଲାଇଭ୍ ଟିଭି କ୍ୟାମେରାରେ ଏହି ଘଟଣା ଘଟିଥିଲା ।

ଘଟଣା ତତ୍ କ୍ଷଣାତ ତିନି ଆକ୍ରମଣକାରୀଙ୍କୁ ପୋଲିସ ଗିରଫ କରିଥିଲା ।‌ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

୨୦୦୫ରେ ବିଏସପି ବିଧାୟକ ରାଜୁ ପାଲ ଏବଂ ଚଳିତ ବର୍ଷ ଫେବୃଆରୀରେ ବିଏସପି ନେତାଙ୍କ ହତ୍ୟା ଘଟଣାରେ ମୁଖ୍ୟ ସାକ୍ଷୀ ଉମେଶ ପାଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲେ ଅତିକ୍ ଅହମ୍ମଦ । ତାଙ୍କ ନାଁରେ ୧୦୦ରୁ ଊର୍ଦ୍ଧ୍ବ ଅପରାଧିକ ମାମଲା ରହିଥିଲା । ଏପ୍ରିଲ ୧୩ରେ ଅତିକଙ୍କ ପୁଅ ଅସଦ ଓ ତାର ସହଯୋଗୀ ଗୁଲାମ ମଧ୍ୟ ପୋଲିସ ଏନକାଉଣ୍ଟରରେ ନିହତ ହୋଇଥିଲେ ।