ସୁପ୍ରିମକୋର୍ଟ ପହଞ୍ଚିଲା କୋଭିସିଲ୍ଡ ମାମଲା | News Room Odisha

ସୁପ୍ରିମକୋର୍ଟ ପହଞ୍ଚିଲା କୋଭିସିଲ୍ଡ ମାମଲା

ନୂଆଦିଲ୍ଲୀ: କୋଭିସିଲ୍ଡ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ବିଶାଲ ତିୱାରୀ ନାମକ ଜଣେ ଓକିଲ କୋଭିସିଲ୍ଡ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ୍ ପାଇଁ ଦାବି କରି ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଏମ୍ସ ଡାଇରେକ୍ଟରଙ୍କ ଅଧ୍ୟକ୍ଷତାରେ ଏକ ମେଡିକାଲ୍ ଏକ୍ସପର୍ଟ ପ୍ୟାନେଲ୍ ଗଠନ କରି ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ଵାବଧାନରେ ଏହାର ତଦନ୍ତ କରାଯାଉ । ଯଦି କୋଭିସିଲ୍ଡ ଟିକା ସ୍ବାସ୍ଥ୍ୟ ପାଇଁ ହାନିକାରକ, ତେବେ ଏହି ଟିକା ନେଇଥିବା ଲୋକ ଓ ଯେଉଁମାନେ ଅକ୍ଷମ କିମ୍ବା ମୃତ୍ୟୁବରଣ କରିଛନ୍ତି, ସେମାନଙ୍କୁ କ୍ଷତିପୂରଣ ଦେବା ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଆବେଦନକାରୀ ଦାବି କରିଛନ୍ତିି ।

ଉଲ୍ଲେଖଯୋଗ୍ୟ, ‘କୋଭିସିଲ୍ଡ’ ଟିକା ପ୍ରସ୍ତୁତକାରୀ କମ୍ପାନୀ ଆଷ୍ଟ୍ରାଜେନେକା ବ୍ରିଟେନର ଏକ କୋର୍ଟରେ ସ୍ୱୀକାର କରିଛି ଯେ ଏହି କୋଭିଡ-୧୯ ଟିକା ନେଇଥିବା ଲୋକଙ୍କଠାରେ ବିରଳ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇପାରେ। ଏହି ଟିକା ଦ୍ବାରା ଟିଟିଏସ୍ ଅର୍ଥାତ୍ ଥ୍ରୋମ୍ବୋସାଇଟୋପେନିଆ ସିଣ୍ଡ୍ରୋମ ହୋଇପାରେ । ଯାହା ଦ୍ବାରା ଶରୀରରେ ରକ୍ତ ଜମାଟ ବାନ୍ଧି ବ୍ରେନ୍ ଷ୍ଟ୍ରୋକ, ହୃଦଘାତ ଭଳି ଘାତକ ପାର୍ଶ୍ଵ ପ୍ରତିକ୍ରିୟା ସୃଷ୍ଟି ହୋଇପାରେ।

ବ୍ରିଟେନର ହାଇକୋର୍ଟରେ ଦାଖଲ ଦସ୍ତାବିଜରେ ଆଷ୍ଟ୍ରାଜେନେକା ନିଜ‌ କୋଭିଡ୍-୧୯ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ସମ୍ଭାବନାକୁ ସ୍ୱୀକାର କରିଛି। ଭାରତରେ କୋଭିଡ-୧୯ ଟିକାକରଣ ଅଭିଯାନରେ ‘କୋଭିସିଲ୍ଡ’ ନାମରେ ଆଷ୍ଟ୍ରୋଜେନେକା ଦ୍ବାରା ପ୍ରସ୍ତୁତ ଟିକାର ବହୁଳ ବ୍ୟବହାର ହୋଇଥିଲା ।

ଭାରତୀୟ କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଆଷ୍ଟ୍ରାଜେନେକା ଠାରୁ ଲାଇସେନ୍ସ ଆଣି ଦେଶରେ ଏହି ଟିକା ଉତ୍ପାଦନ କରିଥିଲା । ଏହା କେବଳ ଭାରତର କୋଭିଡ୍ ଟିକାକରଣ ଅଭିଯାନରେ ବ୍ୟବହୃତ ହୋଇନଥିଲା, ବରଂ ବିଶ୍ବର ଅନେକ ଦେଶକୁ ମଧ୍ୟ ରପ୍ତାନି କରାଯାଇଥିଲା। କୋଭିସିଲ୍ଡ ବ୍ୟତୀତ ଏହି ଟିକା ଅନେକ ଦେଶରେ ‘ଭାକ୍ସଜେଭ୍ରିଆ’ ବ୍ରାଣ୍ଡ୍ ନାଁରେ ବିକ୍ରି ହୋଇଥିଲା ।

ଜାମି ସ୍କଟ୍ ନାମକ ଜଣେ ବ୍ୟକ୍ତି ଆଷ୍ଟ୍ରାଜେନେକା ବିରୋଧରେ ଏହି ମାମଲା ଦାୟର କରିଥିଲେ। ଏହି କମ୍ପାନୀର କୋଭିଡ୍ ଟିକା ନେବାପରେ ତାଙ୍କ ବ୍ରେନ୍ ଡାମେଜ୍ ହୋଇଥିଲା ବୋଲି ସେ ଅଭିଯୋଗ କରିଥିଲେ। ଏହି ଟିକାର ପାର୍ଶ୍ୱ ପ୍ରତିକ୍ରିୟା ନେଇ ଆହୁରି ଅନେକ ଲୋକ ମଧ୍ୟ ଆଷ୍ଟ୍ରାଜେନେକା ବିରୋଧରେ କୋର୍ଟରେ ଅଭିଯୋଗ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି ।