'ଆମ ସହ ଅନ୍ୟାୟ ହୋଇଛି, ବିନା ହିଜାବରେ ଆମେ କଲେଜ ଯିବୁନି' | News Room Odisha

‘ଆମ ସହ ଅନ୍ୟାୟ ହୋଇଛି, ବିନା ହିଜାବରେ ଆମେ କଲେଜ ଯିବୁନି’

ବେଙ୍ଗାଲୁରୁ: ହିଜାବ ବିବାଦକୁ ନେଇ ଆଜି କର୍ଣ୍ଣାଟକ ହାଇକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି। କୋର୍ଟ କହିଛନ୍ତି ଯେ ହିଜାବ ଇସଲାମର ଏକ ଅବିଚ୍ଛେଦ୍ୟ ଅଙ୍ଗ ନୁହେଁ। କଲେଜର କୌଣସି ଧାର୍ମିକ ପୋଷାକ ନୁହେଁ କେବଳ ୟୁନିଫର୍ମରେ ହିଁ ପ୍ରବେଶ ଅନୁମତି ମିଳିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ବର୍ତ୍ତମାନ ହାଇକୋର୍ଟଙ୍କ ଏହି ଆଦେଶ ପରେ ଗୋଟିଏ ପଟେ ରାଜ୍ୟ ସରକାର ଆଶ୍ବସ୍ତ ହୋଇଥିବା ବେଳେ ଆବେଦନକାରୀ ଉଡୁପି ସରକାରୀ କଲେଜର ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେ ସେମାନେ କୋର୍ଟ ରାୟ ଉପରେ ନିରାଶା ବ୍ୟକ୍ତ କରିଛନ୍ତି।

ସେମାନେ କହିଛନ୍ତି ଯେ ଆମେ ହିଜାବ ବିନା କଲେଜକୁ ଯିବୁ ନାହିଁ। ଆଜି ଆମ ପ୍ରତି ସମ୍ପୂର୍ଣ୍ଣ ଅନ୍ୟାୟ ହୋଇଛି | ଆମେ ନିଜ ଦେଶ ଦ୍ବାରା ପ୍ରତାରିତ ହୋଇଥିବା ଅନୁଭବ କରୁଛୁ | ଆମେ ଆମର କେବଳ ଗୋଟିଏ ଅଧିକାର ବିଷୟରେ କହୁଥିଲୁ | ଆମେ ଶେଷ ପର୍ଯ୍ୟନ୍ତ ଆମର ଅଧିକାର ପାଇଁ ସଂଗ୍ରାମ ଜାରି ରଖିବୁ |

ଏହି ବିବାଦ ଯୋଗୁଁ ଅନେକ ଛାତ୍ରୀ ବର୍ତ୍ତମାନ ସ୍କୁଲ ଏବଂ କଲେଜ ଶିକ୍ଷାରୁ ବଞ୍ଚିତ ହେବେ ବୋଲି ଆବେଦନକାରୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ ଏହା କଲେଜର ଆଭ୍ୟନ୍ତରୀଣ ମାମଲା ଥିଲା ଏବଂ ଏହାକୁ ସେଠାରେ ହିଁ ସମାଧାନ କରାଯିବାର ଥିଲା। ଏହାକୁ ସୁଚିନ୍ତିତ ଭାବେ ଏକ ରାଜନୈତିକ ଏବଂ ସାମ୍ପ୍ରଦାୟିକ ରଙ୍ଗ ଦିଆଯାଇଥିଲା | ଆଜି ଅନେକ ଝିଅ ଶିକ୍ଷାର ଅଧିକାରରୁ ବଞ୍ଚିତ ହେଉଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ କେତେ ଅଭିଭାବକ ନିଜ ପିଲାମାନଙ୍କୁ ଅଧ୍ୟୟନ ପାଇଁ ବିଦ୍ୟାଳୟକୁ ପଠାଇବେ ନାହିଁ | ଆମେ ମାନସିକ ସ୍ତରରେ ଭାଙ୍ଗି ପଡିଛୁ | ଆମେ ତାଙ୍କଠାରୁ ଅଧିକ ଆଶା କରୁଥିଲୁ | ଯଦି ଡକ୍ଟର ଆମ୍ବେଦକର ଆଜି ଜୀବିତ ଥିଲେ, ସେ କାନ୍ଦୁଥାନ୍ତେ | ଏଥି ସହିତ, ହିଜାବ ଇସଲାମର ଏକ ଅବିଚ୍ଛେଦ୍ୟ ଅଙ୍ଗ ନୁହେଁ ବୋଲି କୋର୍ଟ ତାଙ୍କ ନିଷ୍ପତ୍ତିରେ ସ୍ପଷ୍ଟ ଭାବରେ କହିଛନ୍ତି, ଆବେଦନକାରୀମାନେ ମଧ୍ୟ ଏହାର ଉତ୍ତର ଦେଇଛନ୍ତି।