୨୦୨୩ ଯାଏଁ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଁ ପିଏଚଡ଼ି ଡିଗ୍ରୀ ବାଧ୍ୟତାମୂଳକ ହେବନି | News Room Odisha

୨୦୨୩ ଯାଏଁ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଁ ପିଏଚଡ଼ି ଡିଗ୍ରୀ ବାଧ୍ୟତାମୂଳକ ହେବନି

ନୂଆଦିଲ୍ଲୀ: କରୋନା ମହାମାରୀ ଦୃଷ୍ଟିରୁ ବିନା ପିଏଚଡି ଡିଗ୍ରୀରେ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ସମୟସୀମାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଁ ପିଏଚଡ଼ି ଡିଗ୍ରୀ ନିୟମ ଗୋଟିଏ ବର୍ଷ ପାଇଁ କୋହଳ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହାକୁ ଜୁଲାଇ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଏହା ପୂର୍ବରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୨୧ରେ ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ପିଏଚଡି ଡିଗ୍ରୀର ଆବଶ୍ୟକତାକୁ ରଦ୍ଦ କରିବାକୁ ଘୋଷଣା କରିଥିଲେ। ଶିକ୍ଷା ମନ୍ତ୍ରୀ କହିଥିଲେ ଯେ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଁ ପିଏଚଡି ବାଧ୍ୟତାମୂଳକ ହେବ ନାହିଁ । ଏହି ନିଷ୍ପତ୍ତି କେବଳ ଗୋଟିଏ ବର୍ଷ ପାଇଁ ଉଦ୍ଦିଷ୍ଟ ଥିଲା। ଏବେ ପିଏଚଡ଼ି ଡିଗ୍ରୀ ନିୟମ ଉପରେ ଆଉ ଦୁଇ ବର୍ଷ ପାଇଁ ରୋକ୍ ଲଗାଇବାକୁ ନିଷ୍ପତ୍ତି ହୋଇଛି ।

ଅନ୍ୟପକ୍ଷରେ ସ୍ନାତକୋତ୍ତର ପ୍ରାର୍ଥୀ ଯେଉଁମାନେ ନ୍ୟାସନାଲ ଏଲିଜିବିଲିଟି ଟେଷ୍ଟ (ନେଟ୍) ଯୋଗ୍ୟତା ହାସଲ କରିଛନ୍ତି, ସେମାନେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ନିଯୁକ୍ତି ପାଇବାକୁ ଯୋଗ୍ୟ ବିବେଚିତ ହେବେ। ଏହାପୂର୍ବରୁ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ନିଯୁକ୍ତି ପାଇଁ ନେଟ୍ ଯୋଗ୍ୟତା ଅର୍ଜନ କରିବା ଆବଶ୍ୟକ ଥିଲା । ତେବେ ୨୦୧୮ରେ ସରକାର ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ନିଯୁକ୍ତି ପାଇଁ ନେଟ୍ ବ୍ୟତୀତ ପ୍ରାର୍ଥୀଙ୍କ ପାଇଁ ପିଏଚଡି ଡିଗ୍ରୀ ବାଧ୍ୟତାମୂଳକ କରିଥିଲେ। । ଏହି ଯୋଜନା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୨୦୧୮ର ନିୟମ ଅନୁଯାୟୀ କାର୍ଯ୍ୟକାରୀ କରାଯାଇଥିଲା |