ସୁପ୍ରିମକୋର୍ଟ ପହଞ୍ଚିଲା ମୋର୍ବି ପୋଲ ଟ୍ରାଜେଡି ମାମଲା, ବିଚାର ବିଭାଗୀୟ ତଦନ୍ତ ଦାବି | News Room Odisha

ସୁପ୍ରିମକୋର୍ଟ ପହଞ୍ଚିଲା ମୋର୍ବି ପୋଲ ଟ୍ରାଜେଡି ମାମଲା, ବିଚାର ବିଭାଗୀୟ ତଦନ୍ତ ଦାବି

ଅହମ୍ମଦାବାଦ: ମୋର୍ବି ପୋଲ ଟ୍ରାଜେଡି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ଏନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ କରାଯାଇଛି। ଏଥିରେ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଦୁର୍ଘଟଣାର ଏସଆଇଟି ତଦନ୍ତ କରିବାକୁ ଦାବି କରାଯାଇଛି।

ମୋର୍ବି ଭଳି ଘଟଣା ଏଡ଼ାଇବା ପାଇଁ ଦେଶର ସମସ୍ତ ପୁରୁଣା ପୋଲ ଓ ପୁରାତନ ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ଭିଡ଼ ପରିଚାଳନା ପାଇଁ ନିୟମ ପ୍ରଣୟନ ସୁପ୍ରିମକୋର୍ଟରେ ଦାୟର ଜନସ୍ୱାର୍ଥ ମାମଲାରେ ଦାବି କରାଯାଇଛି । ସୁପ୍ରିମକୋର୍ଟର ଓକିଲ ବିଶାଲ ତିୱାରୀ ଏହି ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି।

ମୋର୍ବି ଝୁଲା ପୋଲ ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ସ୍ମତିରେ ନଭେମ୍ବର ୨ରେ ଗୁଜରାଟରେ ରାଜ୍ୟବ୍ୟାପୀ ଶୋକ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ସରକାରୀ କୋଠା ଗୁଡିକରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ । ସେହି ଦିନ କୌଣସି ଉତ୍ସବ କିମ୍ବା ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ।

ଗୁଜୁରାଟର ମୋର୍ବିରେ ବ୍ରିଜ ଭୁଶୁଡ଼ିବାର ଦିନକ ପରେ ପୋଲ ମରାମତି କରିଥିବା କମ୍ପାନୀ ଓରେଭାର ଦୁଇ ଅଧିକାରୀଙ୍କ ସମେତ ୯ ଜଣଙ୍କୁ ଗିରଫ କରାଯାଇଥିଲା।

ରବିବାର ସନ୍ଧ୍ୟାରେ ମୋର୍ବିର‌ ଝୁଲାପୋଲ ହଠାତ୍ ଭୁଶୁଡ଼ି ପଡ଼ିବାରୁ ୧୪୧ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏବେ ବି ୧୦୦ ଲୋକ ନିଖୋଜ ଅଛନ୍ତି ‌। ବ୍ରିଟିଶ ଅମଳର ଏହି ୧୦୦ ବର୍ଷ ପୁରୁଣା ଝୁଲା ପୋଲର କ୍ଷମତା ୧୨୫ ଥିଲା । କିନ୍ତୁ ଘଟଣା ଦିନ ଓ ପୋଲରେ ପ୍ରାୟ ୫୦୦ ଲୋକ ଥିଲେ ।