ରାଜସ୍ଥାନ କଂଗ୍ରେସରେ ପୁଣି ବିଦ୍ରୋହ, ଗେହଲୋଟ୍ ସରକାର ବିରୋଧରେ ଆଜି ଅନଶନ କରିବେ ସଚିନ ପାଇଲଟ୍ | News Room Odisha

ରାଜସ୍ଥାନ କଂଗ୍ରେସରେ ପୁଣି ବିଦ୍ରୋହ, ଗେହଲୋଟ୍ ସରକାର ବିରୋଧରେ ଆଜି ଅନଶନ କରିବେ ସଚିନ ପାଇଲଟ୍

ଜୟପୁର: ବିଧାନସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନ କଂଗ୍ରେସରେ ପୁଣି ଗୋଷ୍ଠୀ କନ୍ଦଳ ଦଳୀୟ ହାଇକମାଣ୍ଡର ସମସ୍ୟା ବଢ଼ାଇଛି। ନିଜ ଦଳର ସରକାର ବିରୋଧରେ ହିଁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍ ଆଜି ଅନଶନ କରିବେ । ସେ ତାଙ୍କ ସମର୍ଥକଙ୍କ ସହ ଜୟପୁରର ସହିଦ ସ୍ମାରକ ଠାରେ ଦିନିକିଆ ଅନଶନରେ ବସିବେ।

ବସୁନ୍ଧରା ରାଜେ ସରକାର ସମୟରେ ହୋଇଥବା ଘୋଟାଲା ଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ କରି ପାଇଲଟ୍ ରବିବାର ଏକ‌ ସାମ୍ବାଦିକ ସମ୍ମିଳନୀରେ ଅନଶନ ଘୋଷଣା କରିଥିଲେ।

ତାଙ୍କ ଗୋଷ୍ଠୀର ମନ୍ତ୍ରୀ ଏବଂ ବିଧାୟକଙ୍କ ବଦଳରେ ପାଇଲଟ୍ ସାଧାରଣ ସମର୍ଥକଙ୍କ ସହ ଅନଶନ କରିବେ। ଏହି ଅନଶନ ସକାଳ ୧୦ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ଅନ୍ୟପକ୍ଷରେ ରାଜସ୍ଥାନ କଂଗ୍ରେସ ଦାୟିତ୍ୱରେ ଥିବା ସୁଖଜିନ୍ଦର ସିଂ ରାନ୍ଧଓ୍ବା ପାଇଲଟଙ୍କ ପଦକ୍ଷେପକୁ ଦଳ ବିରୋଧୀ ବୋଲି କହିଛନ୍ତି।

ପାଇଲଟଙ୍କ ଅନଶନରେ ଯୋଗଦେବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ତାଙ୍କ ସମର୍ଥକମାନେ ଜୟପୁରରେ ପହଞ୍ଚିଛନ୍ତି। କଂଗ୍ରେସ ଶାସନ କାଳରେ ନିଜ ସରକାର ବିରୋଧରେ ହିଁ ଅନଶନ କରିବା ଗତ ଦୁଇ ଦଶନ୍ଧିରେ ଏହା ପ୍ରଥମ ଦୃଷ୍ଟାନ୍ତ ।

ସଚିନ ପାଇଲଟଙ୍କ ଅନଶନ ଘୋଷଣା ପରଠାରୁ କଂଗ୍ରେସରେ ହଇଚଇ ସୃଷ୍ଟି ହୋଇଛି । ଆଭ୍ୟନ୍ତରୀଣ ରାଜନୀତି ପୁଣି ସରଗରମ ହୋଇଛି। ଡାମେଜ୍ କଣ୍ଟ୍ରୋଲ ପାଇଁ ରାଜସ୍ଥାନ ପ୍ରଭାରୀ ସୁଖଜିନ୍ଦର ରାନ୍ଧୱା ମଙ୍ଗଳବାର ଅପରାହ୍ନରେ ଜୟପୁରରେ ପହଞ୍ଚିବେ। ରାନ୍ଧୱା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଏବଂ କଂଗ୍ରେସ ରାଜ୍ୟ ସଭାପତି ଗୋବିନ୍ଦ ସିଂ ଦୋଟାସରାଙ୍କୁ ଭେଟିବେ।