'ଅଗ୍ନିପଥ' ବିରୋଧରେ ହିଂସାତ୍ମକ ଆନ୍ଦୋଳନର ଏସ୍ଆଇଟି ତଦନ୍ତ ଦାବିରେ ସୁପ୍ରିମକୋର୍ଟରେ ପିଟିସନ | News Room Odisha

‘ଅଗ୍ନିପଥ’ ବିରୋଧରେ ହିଂସାତ୍ମକ ଆନ୍ଦୋଳନର ଏସ୍ଆଇଟି ତଦନ୍ତ ଦାବିରେ ସୁପ୍ରିମକୋର୍ଟରେ ପିଟିସନ

ନୂଆଦିଲ୍ଲୀ: ସେନାବାହିନୀରେ ନିଯୁକ୍ତି ଲାଗି ସରକାରଙ୍କ ନୂଆ ଯୋଜନା ‘ଅଗ୍ନିପଥ’ ବିରୋଧରେ ସାରା ଦେଶରେ ଚାଲିଥିବା ହିଂସାତ୍ମକ ଆନ୍ଦୋଳନର ଯାଞ୍ଚ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଦ୍ବାରା କରିବା ଦାବିରେ ସୁପ୍ରିମକୋର୍ଟରେ ପିଟିସନ ଦାୟର ହୋଇଛି ।

ସୂଚନା ଅନୁଯାୟୀ, ଏସ୍ଆଇଟି ଗଠନ କରିବା ବ୍ୟତୀତ ଏହି ଆବେଦନରେ ରେଳବାଇ ସମେତ ଅନେକ ସରକାରୀ ଅନୁଷ୍ଠାନର ସମ୍ପତ୍ତିର ହୋଇଥିବା କ୍ଷୟକ୍ଷତିର ଯାଞ୍ଚ୍ ପାଇଁ ନିର୍ଦ୍ଦେଶ ଦେବାକୁ ନିବେଦନ କରାଯାଇଛି ।

ଏହି ଆବେଦନରେ ଅଗ୍ନିପଥ ଯୋଜନାର ସମୀକ୍ଷା ପାଇଁ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ବିଶେଷଜ୍ଞ କମିଟି ଗଠନ କରାଯାଉ । ଏହି ଯୋଜନାର ପ୍ରଭାବ, ଜାତୀୟ ସୁରକ୍ଷା ଏବଂ ସେନା ଉପରେ ଏହାର ପ୍ରଭାବକୁ ଏହି କମିଟି ମୂଲ୍ୟାୟନ କରିବା ଉଚିତ ବୋଲି ଆବେଦନରେ ଦାବି କରାଯାଇଛି।

ଏହି ସପ୍ତାହରେ କେନ୍ଦ୍ର ସରକାର ସେନାରେ ନିଯୁକ୍ତି ପାଇଁ ଏକ ନୂଆ ଯୋଜନା ‘ଅଗ୍ନିପଥ’ ଘୋଷଣା କରିଛନ୍ତି। ଏହି ଯୋଜନାକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ଆଶାୟୀ ଯୁବକମାନେ ରାସ୍ତାକୁ ଓହ୍ଲାଇଛନ୍ତି । ଦେଶର ଅନେକ ସ୍ଥାନରେ ବିଶେଷକରି ବିହାର, ଉତ୍ତର ପ୍ରଦେଶରେ ବିକ୍ଷୋଭକାରୀ ଯୁବକମାନେ ଟ୍ରେନ୍ ଜଳିଦେବା ସହ ଭଙ୍ଗାରୁଜା କରିଛନ୍ତି ।