ଦେଶର ସୁରକ୍ଷା ପ୍ରସ୍ତୁତି ଓ ୟୁକ୍ରେନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ | News Room Odisha

ଦେଶର ସୁରକ୍ଷା ପ୍ରସ୍ତୁତି ଓ ୟୁକ୍ରେନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ

ନୂଆଦିଲ୍ଲୀ: ୟୁକ୍ରେନ- ରୁଷ ଯୁଦ୍ଧ ଏବଂ ଦେଶର ସୁରକ୍ଷା ପ୍ରସ୍ତୁତି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ। ଏହା ସହିତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ |

ଏହି ବୈଠକରେ ଦେଶର ସୀମାନ୍ତ ଅଞ୍ଚଳ ସହ ଆକାଶ ଓ ଜଳସୀମାରେ ଭାରତର ସୁରକ୍ଷା ପ୍ରସ୍ତୁତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ଏହାଛଡ଼ା ୟୁକ୍ରେନରେ ଭାରତୀୟ ଓ ପଡ଼ୋଶୀ ଦେଶର ନାଗରିକ ମାନଙ୍କୁ ଉଦ୍ଧାର କାର୍ଯ୍ୟର ମଧ୍ୟ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ ।

ୟୁକ୍ରେନରେ ଚାଲିଥିବା ରୁଷ ଆକ୍ରମଣ ପରେ କେନ୍ଦ୍ର ସରକାର ଉଭୟ ଦେଶ ସହ କଥା ହେବା ପରେ ହଜାର ହଜାର ଭାରତୀୟଙ୍କୁ ବିମାନରେ ସୁରକ୍ଷିତ ଭାବେ ଫେରାଇ ଆଣିଛନ୍ତି। ଦେଶକୁ ଫେରିବା ପାଇଁ ଏହି ଅଭିଯାନକୁ ଭାରତ ସରକାର ଅପରେସନ୍ ଗଙ୍ଗା ନାମରେ ନାମିତ କରିଛନ୍ତି।

ରୁଷର ସେନା ୟୁକ୍ରେନରେ ଆତଙ୍କ ସୃଷ୍ଟି କରିଛି। ଭାରତ ସମେତ ବିଶ୍ୱର ଅନେକ ଦେଶ ଅସ୍ତ୍ରବିରତି ପାଇଁ ଅପିଲ କରିଛନ୍ତି। ୟୁକ୍ରେନରେ ଯୁଦ୍ଧ ଶେଷ କରିବାକୁ ପୂର୍ବତନ ଜର୍ମାନ ଚାନ୍ସେଲର ଗେର୍ହଡ ସ୍କ୍ରୋଡର୍ ଓ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଅନେକ ଘଣ୍ଟା ଧରି ସାକ୍ଷାତ ଆଲୋଚନା ହୋଇଛି |