ବିଶ୍ବକପ୍ ପରାଜୟ ପରେ ଡ୍ରେସିଂ ରୁମରେ ଭାରତୀୟ ଖେଳାଳିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ସାନ୍ତ୍ବନା ଦେଇ ଉତ୍ସାହିତ କଲେ | News Room Odisha

ବିଶ୍ବକପ୍ ପରାଜୟ ପରେ ଡ୍ରେସିଂ ରୁମରେ ଭାରତୀୟ ଖେଳାଳିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ସାନ୍ତ୍ବନା ଦେଇ ଉତ୍ସାହିତ କଲେ

ଅହମ୍ମଦାବାଦ: ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ହାରିବା ପରେ ଭାରତୀୟ ଡ୍ରେସିଂ ରୁମରେ ନିରାଶ ଓ ବିଷାଦର ଛାୟା ଖେଳିଯାଇଥିଲା । ବିଷର୍ଣ୍ଣ ମୁଖମଣ୍ଡଳ କହୁଥିଲା ଖେଳାଳିଙ୍କ ବ୍ୟଥା । ଏପରି କଠିଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଡ୍ରେସିଂ ରୁମରେ ପହଞ୍ଚି ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଓ କୋଚ୍ ରାହୁଲ ଦ୍ରାବିଡଙ୍କ ସହ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳିଙ୍କୁ ସାନ୍ତ୍ୱନା ଦେଇଥିଲେ ।

ବିଶ୍ୱକପ୍‌ରେ ଲଗାତାର ୧୦ଟି ମ୍ୟାଚ୍‌ ଜିତି ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ଅଷ୍ଟ୍ରେଲିଆ ବିପକ୍ଷ ବିଜୟରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା, କିନ୍ତୁ ଫାଇନାଲରେ ସେହି ଅଷ୍ଟ୍ରେଲିଆ ଦଳଠୁ ହିଁ ହାରିଯାଇଥିଲା ଭାରତ | ପରାଜୟ ପରେ ବିଷାଦଗ୍ରସ୍ତ ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ଡ୍ରେସିଂ ରୁମ୍ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।

ପ୍ରଧାନମନ୍ତ୍ରୀ ମୋଦୀ ଅଧିନାୟକ ରୋହିତ ଶର୍ମା ଓ କୋଚ୍ ରାହୁଲ ଦ୍ରାବିଡଙ୍କ ସହ ପ୍ରତ୍ୟେକ ଖେଳାଳିଙ୍କ ସହ କଥା ହୋଇଥିଲେ ଓ ସାନ୍ତ୍ବନା ଦେଇ ସେମାନଙ୍କ ମନୋବଳ ବଢାଇଥିଲେ । ଟୁର୍ଣ୍ଣାମେଣ୍ଟର ଅଗ୍ରଣୀ ୱିକେଟ୍ ହାସଲକାରୀ ବୋଲର ମହମ୍ମଦ ଶାମି ତାଙ୍କୁ ପ୍ରଧାନମନ୍ତ୍ରୀ କୁଣ୍ଢାଇ ସାନ୍ତ୍ୱନା ଦେଉଥିବା ଏକ ଫଟୋ ଟ୍ୱିଟ୍ କରିଛନ୍ତି। ଏହି ବିଶ୍ୱକପ୍‌ରେ ଶାମି ୨୪ଟି ୱିକେଟ୍ ନେଇଥିଲେ । ସେଥିମଧ୍ୟରୁ ଗୋଟିଏ ସେ ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲରେ ନେଇଥିଲେ। ଡ୍ରେସିଂ ରୁମରେ ପ୍ରଧାନମନ୍ତ୍ରୀଙ୍କ ସହ ଏକ ମୁହୂର୍ତ୍ତର ଫଟୋ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ ସେୟାର କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଡ୍ରେସିଂ ରୁମରେ ଖେଳାଳିଙ୍କ ସହ କଥାବାର୍ତ୍ତା ହେଉଥିବାର ଏକ ଭିଡ଼ିଓ ଏବେ ସାମ୍ନାକୁ ଆସିଛି। ଏଥିରେ ସେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳୁଛି। ଦଳର ଜଣେ ସଦସ୍ୟ ନାମ ପ୍ରକାଶ ନକରିବା ସର୍ତ୍ତରେ କହିଛନ୍ତି, ପ୍ରଧାନମନ୍ତ୍ରୀ ଭାରତୀୟ ଖେଳିଳଙ୍କୁ କହିଥିଲେ, ଆମେ ସମସ୍ତେ ନିଜର ୧୦୦ ପ୍ରତିଶତ ଦେଇଛୁ । ସେଥିପାଇଁ ଆମେ ନିରାଶ ହେବା ଉଚିତ ନୁହେଁ। ବିଜୟ ଓ ପରାଜୟ କାହା ହାତରେ ନାହିଁ, ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମେ ଭଲ ଖେଳିଲୁ ଓ କଠିନ ପରିଶ୍ରମ କଲୁ । ”

ଦ୍ୱିତୀୟ ଇନିଂସ୍ ବେଳେ ଅଷ୍ଟ୍ରେଲିଆର ଉପମୁଖ୍ୟମନ୍ତ୍ରୀ ରିଚାର୍ଡ ମାର୍ଲସଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପହଞ୍ଚିଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ଡ୍ରେସିଂ ରୁମରେ ପହଞ୍ଚିବା ପୂର୍ବରୁ ଟିମ୍ ଇଣ୍ଡିଆ କୋଚ ଦ୍ରାବିଡ ଦଳ ସହ କଥା ହୋଇଥିଲେ। ସେ ଖେଳାଳିମାନଙ୍କୁ ଆଗକୁ ବଢ଼ିବାକୁ ଓ ସକରାତ୍ମକ ରହିବାକୁ ପରାମର୍ଶ ଦେଇଥିଲେ । ବିଶ୍ୱକପ ସହ ଦ୍ରାବିଡଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି । ଦ୍ରାବିଡଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବ ନା ନାହିଁ ଭାରତୀୟ ବୋର୍ଡ ତାହା ଆଗାମୀ ଦିନରେ ନିଷ୍ପତ୍ତି ନେବ।