ଦେଶର ୫୦୮ଟି ଷ୍ଟେସନର ହେବ ପୁନର୍ବିକାଶ, ପ୍ରଧାନମନ୍ତ୍ରୀ କଲେ ଶିଳାନ୍ୟାସ | News Room Odisha

ଦେଶର ୫୦୮ଟି ଷ୍ଟେସନର ହେବ ପୁନର୍ବିକାଶ, ପ୍ରଧାନମନ୍ତ୍ରୀ କଲେ ଶିଳାନ୍ୟାସ

ନୂଆଦିଲ୍ଲୀ: ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଦେଶର ୫୦୮ଟି ରେଳ ଷ୍ଟେସନର ହେବ ପୁନର୍ବିକାଶ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ନାଗରିକଙ୍କ ପାଇଁ ରେଳ ଯାତ୍ରାକୁ ଅଧିକ ସୁଗମ ତଥା ଉପଭୋଗ୍ୟ କରିବା ଆମର ଲକ୍ଷ୍ୟ। ଆଜି ଭାରତୀୟ ରେଳବାଇରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି |

ଯେଉଁ ୫୦୮ଟି ଷ୍ଟେସନର ପୁନର୍ବିକାଶ ହେବ ସେଥିମଧ୍ୟରୁ ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନର ୫୫ଟି ଲେଖାଏଁ, ବିହାରର ୪୯, ମହାରାଷ୍ଟ୍ରର ୪୪, ପଶ୍ଚିମବଙ୍ଗର ୩୭, ମଧ୍ୟପ୍ରଦେଶର ୩୪, ଆସାମର ୩୨, ଓଡ଼ିଶାର ୨୫, ପଞ୍ଜାବର ୨୨, ଗୁଜରାଟ ଓ ତେଲେଙ୍ଗାନାର ୨୧-୨୧, ଝାଡ଼ଖଣ୍ଡର ୨୦, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ୧୮-୧୮, ହରିୟାଣାର ୧୫ ଏବଂ କର୍ଣ୍ଣାଟକର ୧୩ ଷ୍ଟେସନ ରହିଛି।

ଏଥିପାଇଁ ଖର୍ଚ୍ଚ ହେବ ୨୪ ହଜାର ୭୦୦ କୋଟି ଟଙ୍କା। ଏହି ପ୍ରକଳ୍ପ ଅଧୀନରେ ୧୩୦୦ ରେଳ ଷ୍ଟେସନକୁ ମଲ୍ଟି ମୋଡାଲ୍ ହବ୍ ଭାବରେ ବିକଶିତ କରାଯିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରେଳବାଇରେ ହୋଇଥିବା କାର୍ଯ୍ୟ ସମସ୍ତଙ୍କୁ ଖୁସି ଏବଂ ଆଶ୍ଚର୍ଯ୍ୟ କରିଛି। ଏହି ୯ ବର୍ଷରେ ଦକ୍ଷିଣ ଆଫ୍ରିକା, ୟୁକ୍ରେନ, ପୋଲାଣ୍ଡ, ବ୍ରିଟେନ ଏବଂ ସ୍ୱିଡେନ ଭଳି ଦେଶ ତୁଳନାରେ ଆମ ଦେଶରେ ଅଧିକ ରେଳ ଟ୍ରାକ୍ ବିଛାଯାଇଛି । କେବଳ ଗତ ବର୍ଷ ଦକ୍ଷିଣ କୋରିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ ଭଳି ଦେଶ ଅପେକ୍ଷା ଭାରତରେ ଅଧିକ ରେଳ ଟ୍ରାକ୍ ନିର୍ମାଣ କରାଯାଇଛି।