କ୍ରିକେଟ୍ କୂଟନୀତି: ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କ ସହ ଚତୁର୍ଥ ଟେଷ୍ଟ ଦେଖିଲେ ମୋଦୀ | News Room Odisha

କ୍ରିକେଟ୍ କୂଟନୀତି: ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କ ସହ ଚତୁର୍ଥ ଟେଷ୍ଟ ଦେଖିଲେ ମୋଦୀ

ଅହମ୍ମଦାବାଦ: ଉତ୍ସବ ମୁଖର ପରିବେଶ ମଧ୍ୟରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଉପସ୍ଥିତ ପ୍ରାୟ ୪୦,୦୦୦ ଦର୍ଶକ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ କ୍ରିକେଟ୍ କୂଟନୀତିର ଝଲକ ପାଇଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ଅଷ୍ଟ୍ରେଲୀୟ ପ୍ରତିପକ୍ଷ ଆନ୍ଥୋନୀ ଆଲବାନିସ ଗୁରୁବାର ଠାରୁ ଏଠାରେ ଆରମ୍ଭ ହୋଇଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟର ପ୍ରଥମ ଦିବସ ଖେଳ ଏକାଠି ଦେଖିଛନ୍ତି ।

ଭାରତ ଏହି ଟେଷ୍ଟ ସହ ସିରିଜ୍ ୩-୧ରେ ଜିତି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ (ଡବ୍ଲୁଟିସି) ଫାଇନାଲରେ ସ୍ଥାନ ନିଶ୍ଚିତ କରିବା ଲକ୍ଷ୍ୟରେ ରହିଛି | ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଏହି ସିରିଜ୍ ବରାବର କରି ଭାରତର ଘରୋଇ ଆଧିପତ୍ୟକୁ ଝଟକା ଦେବାକୁ ଉଦ୍ୟମ କରିବ ।

ମ୍ୟାଚ୍ ପୂର୍ବରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୭୫ ବର୍ଷର ବନ୍ଧୁତା ଅବସରରେ ଆଲବାନିସ୍ ଏବଂ ମୋଦୀ ‘ଲାପ୍ ଅଫ୍ ଅନର’ ସ୍ବରୂପ ଗ୍ରାଉଣ୍ଡ ଚାରିପଟେ ଏକ ଯାନରେ ପରିକ୍ରମା କରିଥିଲେ।

ଉଭୟ ଦେଶର ମୁଖ୍ୟଙ୍କ ଉପସ୍ଥିତି ଯୋଗୁଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏହି କାରଣରୁ ମୋଦୀ ଏବଂ ଆଲବାନିସ କ୍ରିକେଟ୍ ଥିମ୍ ସହ ଡିଜାଇନ୍ ହୋଇଥିବା ଏକ ଛୋଟ ଗାଡ଼ିରେ ଗ୍ରାଉଣ୍ଡ ପରିକ୍ରମା କରୁଥିବା ବେଳେ ବିଶ୍ୱର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମ୍ ଅଧା ମଧ୍ୟ ଭରିନଥିଲା । ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ଉଭୟ ନେତାଙ୍କୁ କରତାଳି ଦେଇ ଉଚ୍ଛ୍ବସିତ ସ୍ୱାଗତ ଜଣାଇଥିଲେ ।

ବିସିସିଆଇ ସଭାପତି ରୋଜର ବିନ୍ନି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଲବାନିସଙ୍କୁ ତାଙ୍କ ଫଟୋ ପ୍ରଦାନ କରିଥିବା ବେଳେ ସମ୍ପାଦକ ଜୟ ଶାହା ଭାରତୀୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ଫଟୋ ଭେଟି ଦେଇଥିଲେ ।

ଏହା ପରେ ଉଭୟ ନେତା ନୂଆ ଡିଜାଇନ୍ ସହ ନିର୍ମିତ ‘ହଲ୍ ଅଫ୍ ଫେମ୍ ରୁମ୍’ର ଉଦଘାଟନ କରିଥିଲେ ଯେଉଁଠାରେ କ୍ରିକେଟ୍ ଏବଂ ଅତୀତର ସ୍ମୃତି ସହ ଜଡିତ ବହୁ ଫଟୋ ଲଗାଯାଇଥିଲା |

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀଙ୍କୁ ଭାରତୀୟ କ୍ରିକେଟ୍ ଇତିହାସର ସଂକ୍ଷିପ୍ତ ତଥା ରୋଚକ ତଥ୍ୟ ସମ୍ପର୍କରେ ଅବଗତ କରାଇଥିଲେ ।

ଏହାପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭ ସ୍ମିଥ ନିଜ ନିଜ ପ୍ରଧାନମନ୍ତ୍ରୀଙ୍କ ସହ ପଡିଆକୁ ଓହ୍ଲାଇଥିଲେ ଓ ଦୁଇ ନେତାଙ୍କୁ ଅନ୍ୟ ଖେଳାଳିଙ୍କ ସହ ପରିଚିତ କରାଇଥିଲେ ।

ଆଲବାନିସ୍ ଏହି ସିରିଜରେ ଅଷ୍ଟ୍ରେଲିଆ ତରଫରୁ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ନାଥନ୍ ଲିଅନଙ୍କ ସହ ସଂକ୍ଷେପରେ କଥା ହୋଇଥିବାବେଳେ ମୋଦୀ ସମସ୍ତ ଭାରତୀୟ ଖେଳାଳିଙ୍କ ସହ ହାତ ମିଳାଇ ମ୍ୟାଚ୍ ପାଇଁ ଶୁଭେଚ୍ଛା ଜଣାଇଥିଲେ ।ଭାରତୀୟ ଦଳ ସହ ମିଶି ପ୍ରଧାନମନ୍ତ୍ରୀ ମୋଦୀ ଜାତୀୟ ସଂଗୀତ ଗାଇଥିଲେ । ପରେ ମୋଦୀ ଓ ଆଲବାନିସ୍ ଏକାଠି ପ୍ରଥମ ସେସନ୍ ଖେଳ ଦେଖିଥିଲେ ।

ଉଲ୍ଲେଖଯୋଗ୍ୟ, ଚାରି ଟେଷ୍ଟ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି।