ୟୁକ୍ରେନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ପୁଣି ଏକ ଉଚ୍ଚସ୍ତରୀୟ ବୈଠକ, ଏଯାବତ୍ ଫେରିଛନ୍ତି ୧୭,୦୦୦ ରୁ ଅଧିକ ଭାରତୀୟ | News Room Odisha

ୟୁକ୍ରେନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ପୁଣି ଏକ ଉଚ୍ଚସ୍ତରୀୟ ବୈଠକ, ଏଯାବତ୍ ଫେରିଛନ୍ତି ୧୭,୦୦୦ ରୁ ଅଧିକ ଭାରତୀୟ

ନୂଆଦିଲ୍ଲୀ: ୟୁକ୍ରେନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଞ୍ଚମ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି । ପ୍ରଧାନମନ୍ତ୍ରୀ ଅପରେସନ୍ ଗଙ୍ଗା ଅଧୀନରେ ୟୁକ୍ରେନରୁ ଭାରତୀୟମାନଙ୍କୁ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ପିକେ ମିଶ୍ର, କ୍ୟାବିନେଟ ସଚିବ ରାଜୀବ ଗୌବା, ବୈଦେଶିକ ସଚିବ ହର୍ଷ ଭର୍ଦ୍ଦନ ଶ୍ରୀଙ୍ଗଲ ଏବଂ ବୈଦେଶିକ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ବୈଠକରେ ଜୟଶଙ୍କର ଏବଂ ଶ୍ରୀଙ୍ଗଲା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୟୁକ୍ରେନରୁ ଭାରତୀୟଙ୍କୁ ସ୍ଥାନାନ୍ତର ମିଶନର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ ଏବଂ ତାଙ୍କୁ କହିଛନ୍ତି ଯେ କିଭରେ ଭାରତୀୟ ଦୂତାବାସ ଦ୍ବାରା ଜାରି ପ୍ରାରମ୍ଭିକ ପରାମର୍ଶ ପରେ ୧୭,୦୦୦ ରୁ ଅଧିକ ଭାରତୀୟଙ୍କୁ ଫେରାଇ ଅଣାଯାଇଛି। ଯେଉଁମାନେ ରୁଷର ସୀମାବର୍ତ୍ତୀ ଓଡେସା ଏବଂ ସୁମି ଅଞ୍ଚଳରେ ଫସି ରହିଥିଲେ ଏବଂ ସେମାନଙ୍କ ନିରାପଦ ସ୍ଥାନାନ୍ତରର ସମ୍ଭାବ୍ୟ ଉପାୟ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ | ସୁମି ରୁଷର ସୀମା ନିକଟରେ ଅବସ୍ଥିତ ଏବଂ ସେଠାରେ ଭୀଷଣ ସଂଘର୍ଷ ଜାରି ରହିଛି |

ରବିବାର ସନ୍ଧ୍ୟା ଠାରୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରାୟ ପ୍ରତ୍ୟେକ ଦିନ ୟୁକ୍ରେନ ପ୍ରସଙ୍ଗରେ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି ଏବଂ ଉତ୍ତରପ୍ରଦେଶରେ ନିର୍ବାଚନ ପ୍ରଚାର ସତ୍ତ୍ୱେ ଲୋକଙ୍କୁ ସ୍ଥାନାନ୍ତର କରିବା ଉପରେ ଆଲୋଚନା କରୁଛନ୍ତି। ଅପରେସନ୍ ଗଙ୍ଗା ତଦାରଖ କରିବା ପାଇଁ ଚାରିଜଣ କେନ୍ଦ୍ର ମନ୍ତ୍ରୀ ୟୁକ୍ରେନର ପଡୋଶୀ ଦେଶକୁ ଯାଇଛନ୍ତି ।