ନୌସେନାକୁ ମିଳିଲା ପ୍ରଥମ ସ୍ବଦେଶୀ ଯୁଦ୍ଧ ପୋତ, 'ଆଇଏନ୍ଏସ୍ ବିକ୍ରାନ୍ତ'ଙ୍କୁ ଦେଶ ସେବାରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ | News Room Odisha

ନୌସେନାକୁ ମିଳିଲା ପ୍ରଥମ ସ୍ବଦେଶୀ ଯୁଦ୍ଧ ପୋତ, ‘ଆଇଏନ୍ଏସ୍ ବିକ୍ରାନ୍ତ’ଙ୍କୁ ଦେଶ ସେବାରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ନୌସେନାକୁ ମିଳିଛି ଦ୍ୱିତୀୟ ବିମାନ ବାହକ ଯୁଦ୍ଧପୋତ (ଆଇଏସି) | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ କୋଚିର କୋଚିନ୍ ସିପୟାର୍ଡରେ ‘ଆଇଏନ୍ଏସ୍ ବିକ୍ରାନ୍ତ’ଙ୍କୁ ଦେଶ ସେବାରେ ଉତ୍ସର୍ଗ କରିଛନ୍ତି। ଏହା ଭାରତର ପ୍ରଥମ ସ୍ୱଦେଶୀ ବିମାନ ବାହକ ଯୁଦ୍ଧ ପୋତ। ଆଇଏନ୍ଏସ୍ ବିକ୍ରାନ୍ତର ଡିଜାଇନ୍ ଏବଂ ନିର୍ମାଣ ସବୁକିଛି ଭାରତରେ ହୋଇଛି | ପ୍ରଧାନମନ୍ତ୍ରୀ ମୋଦୀ ନୌସେନାର ନୂଆ ପ୍ରତୀକ ମଧ୍ୟ ଉନ୍ମୋଚନ କରିଛନ୍ତି । ଏହାର ଉପର ବାମ ପାର୍ଶ୍ୱରେ ଜାତୀୟ ପତାକା ଏବଂ ଡାହାଣ ପାର୍ଶ୍ୱରେ ଅଶୋକ ସ୍ତମ୍ଭ ଏବଂ ଏହା ତଳେ ଲଙ୍ଗର ଅଛି |

ଆଇଏନ୍ଏସ ବିକ୍ରାନ୍ତକୁ ଦେଶ ସେବାରେ ଉତ୍ସର୍ଗ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏହାର ବୈଶିଷ୍ଟ୍ୟ ବର୍ଣ୍ଣନା କରି କହିଛନ୍ତି, ଏହା ଯୁଦ୍ଧ ଜାହାଜ ଅପେକ୍ଷା ଏକ ଭାସମାନ ଏୟାରଫିଲ୍ଡ, ଏହା ଏକ ଭାସମାନ ସହର | ଏହା ଉତ୍ପାଦନ କରୁଥିବା ବିଦ୍ୟୁତ୍ ପରିମାଣ ୫୦୦୦ ଘରକୁ ଆଲୋକିତ କରିପାରେ | ଏହାର ଫ୍ଲାଇଙ୍ଗ୍ ଡେକ୍ ମଧ୍ୟ ଦୁଇଟି ଫୁଟବଲ୍ ପଡ଼ିଆ ଠାରୁ ବଡ଼ | ଏଥିରେ ଯେତିକି ତାର ବ୍ୟବହାର ହୋଇଛି ତାହା କୋଚିନ୍ ଠାରୁ କାଶୀ ପର୍ଯ୍ୟନ୍ତ ପହଞ୍ଚିପାରେ।
ମୋଦୀ ଭାରତୀୟ ନୌସେନାର ନୂଆ ପତାକା ତଥା ପ୍ରତୀକ ମଧ୍ୟ ଉନ୍ମୋଚନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଆଜି ଭାରତ ନିଜ ଉପରୁ ଏକ ପ୍ରତୀକ ତଥା ଦାସତ୍ୱର ଭାର ଓହ୍ଲାଇ ଦେଇଛି। ଆଜିଠାରୁ ଭାରତୀୟ ନୌସେନାକୁ ଏକ ନୂତନ ପତାକା ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ନୌସେନା ପତାକା ଉପରେ ଦାସତ୍ୱର ପରିଚୟ ରହିଆସିଥିଲା । କିନ୍ତୁ ଆଜିଠାରୁ ଛତ୍ରପତି ଶିବାଜୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ନୂତନ ନୌସେନା ପତାକା ସମୁଦ୍ର ତଥା ଆକାଶରେ ଉଡ଼ିବ।

ଆଇଏନ୍ଏସ୍ ବିକ୍ରାନ୍ତ ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ଥିଲେ ।

ଜାହାଜରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ସହିତ ସମ୍ପୂର୍ଣ୍ଣ ମେଡିକାଲ୍ କ୍ୟାମ୍ପସ୍ ଅଛି | ଯେଉଁଥିରେ ପ୍ରମୁଖ ମଡ୍ୟୁଲାର୍ ଓଟି (ଅପରେସନ୍ ଥିଏଟର), ଜରୁରୀକାଳୀନ ମଡ୍ୟୁଲାର୍ ଓଟି, ଫିଜିଓଥେରାପି କ୍ଲିନିକ୍, ଆଇସିୟୁ, ଲାବୋରେଟୋରୀ, ସିଟି ସ୍କାନର୍, ଏକ୍ସ-ରେ ମେସିନ୍, ଡେଣ୍ଟାଲ୍ କମ୍ପ୍ଲେକ୍ସ, ବିଚ୍ଛିନ୍ନତା ୱାର୍ଡ ଏବଂ ଟେଲି ମେଡିସିନ୍ ସୁବିଧା ଇତ୍ୟାଦି ଅନ୍ତର୍ଭୁକ୍ତ | ଏହା ମିଗ-୨୯ ଯୁଦ୍ଧ ବିମାନ, କାମୋଭ-୩୧ ଏବଂ ଏମ୍ଏଚ୍-୬୦ଆର୍ ମଲ୍ଟି ରୋଲ ହେଲିକପ୍ଟର ବ୍ୟତୀତ ୩୦ଟି ବିମାନକୁ ନେଇ ଏକ ଏୟାର ୱିଙ୍ଗ ଚଳାଇବାରେ ସକ୍ଷମ |

୧୦୯୬୦ ମସିହାରେ ହିଁ ପ୍ରଥମ ଥର ପାଇଁ ଭାରତୀୟ ନୌସେନାକୁ ପ୍ରଥମ ଯୁଦ୍ଧ ପୋତ ହସ୍ତାନ୍ତର କରାଯାଇଥିଲା। ତା’ପରେ ବ୍ରିଟେନରୁ ଆମଦାନୀ ହୋଇଥିବା ଏହି ଜାହାଜର ନାମ ବିକ୍ରାନ୍ତ ରଖାଯାଇଥିଲା, ଯାହା ବର୍ତ୍ତମାନ ସେବା ନିବୃତ ହୋଇସାରିଛି | ଏହି ନାମରେ ଏବେ ନୂଆ ସ୍ୱଦେଶୀ ଯୁଦ୍ଧ ଜାହାଜର ନାମ ମଧ୍ୟ ବିକ୍ରାନ୍ତ ରଖାଯାଇଛି। ଭାରତୀୟ ନୌସେନାକୁ ଦ୍ୱିତୀୟ ବିମାନ ବାହକ ‘ବିରାଟ’ ମଧ୍ୟ ବ୍ରିଟେନରୁ ୧୯୮୮ରେ କ୍ରୟ କରାଯାଇଥିଲା। ଏହା ପରେ ଦକ୍ଷିଣ ପୂର୍ବ ଏସିଆର ଦେଶମାନେ ଭାରତ ନିଜ ସାମୁଦ୍ରିକ ଅଭିଳାଷ ଚରିତାର୍ଥ ପାଇଁ ଅଯଥା ସମ୍ପ୍ରସାରଣ‌ କରୁଛି ବୋଲି ଅଭିଯୋଗ କରିଥିଲେ। ‘ବିରାଟ’ ମଧ୍ୟ ବର୍ତ୍ତମାନ ସେବା ନିବୃତ ହୋଇସାରିଛି । ପ୍ରାୟ ଏକ ଦଶନ୍ଧି ପୂର୍ବରୁ ମିଳିଥିବା ତୃତୀୟ ବିମାନ ପରିବହନକାରୀ ‘ଆଇଏନ୍ଏସ୍ ବିକ୍ରମାଦିତ୍ୟ’ ରୁଷରୁ କିଣାଯାଇଥିଲା । ବର୍ତ୍ତମାନ ବିକ୍ରମାଦିତ୍ୟ ସହ ବିକ୍ରାନ୍ତ ଭାରତୀୟ ନୌସେନା ଗର୍ବ ସାଜିବ ଏବଂ ଭାରତ ମହାସାଗରରେ ଏହାର ସ୍ୱାର୍ଥ ରକ୍ଷା କରିବାକୁ ପ୍ରସ୍ତୁତ।