ଚନ୍ଦ୍ରଯାନ-୩ର ଅବତରଣ ସ୍ଥାନକୁ 'ଶିବଶକ୍ତି' ଭାବେ ନାମିତ କଲେ ପ୍ରଧାନମନ୍ତ୍ରୀ, ଅଗଷ୍ଟ ୨୩କୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରାଯିବ | News Room Odisha

ଚନ୍ଦ୍ରଯାନ-୩ର ଅବତରଣ ସ୍ଥାନକୁ ‘ଶିବଶକ୍ତି’ ଭାବେ ନାମିତ କଲେ ପ୍ରଧାନମନ୍ତ୍ରୀ, ଅଗଷ୍ଟ ୨୩କୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରାଯିବ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଗ୍ରୀସରୁ ସିଧାସଳଖ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ଏବଂ ତାଙ୍କ ସାଥୀ ବୈଜ୍ଞାନିକମାନଙ୍କୁ ଭେଟି ଚନ୍ଦ୍ରଯାନ-୩ର ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି | ପ୍ରଧାନମନ୍ତ୍ରୀ ଇସ୍ରୋ ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିବା ସହ ଏକ ବଡ଼ ଘୋଷଣା କରିଛନ୍ତି ।

ଚନ୍ଦ୍ରପୃଷ୍ଠର ଯେଉଁ ସ୍ଥାନରେ ଚନ୍ଦ୍ରଯାନ-୩ର ଅବତରଣ ହୋଇଥିଲା, ସେହି ସ୍ଥାନକୁ ‘ଶିବଶକ୍ତି’ ଭାବେ ନାମକରଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାଛଡ଼ା ଅଗଷ୍ଟ ୨୩କୁ ପ୍ରତିବର୍ଷ ‘ଜାତୀୟ ମହାକାଶ ଦିବସ’ ଭାବେ ପାଳନ କରାଯିବ ବୋଲି ସେ ଘୋଷଣା କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ଭାବପ୍ରବଣ ହୋଇଯାଇଥିଲେ।

ବେଙ୍ଗାଲୁରୁର ଇସ୍ରୋ ଟେଲିମେଟ୍ରି ଟ୍ରାକିଂ ଆଣ୍ଡ୍ କମାଣ୍ଡ ନେଟୱାର୍କ ମିଶନ କଣ୍ଟ୍ରୋଲ କମ୍ପ୍ଲେକ୍ସରେ ବୈଜ୍ଞାନିକମାନଙ୍କୁ ସମ୍ବୋଧିତ କରି ପିଏମ ମୋଦୀ କହିଛନ୍ତି- ମୁଁ ଆପଣଙ୍କୁ ଯଥାଶୀଘ୍ର ସାକ୍ଷାତ କରିବାକୁ ଚାହୁଁଥିଲି … ଆପଣମାନଙ୍କୁ ସଲାମ୍ କରିବାକୁ ଚାହୁଁଥିଲି … ମୁଁ ଆପଣଙ୍କ ଉଦ୍ୟମକୁ ସଲାମ କରୁଛି। ଆପଣମାନେ ଦେଶକୁ ଯେଉଁ ଉଚ୍ଚତାକୁ ନେଇଛନ୍ତି ତାହା କୌଣସି ସାଧାରଣ ସଫଳତା ନୁହେଁ | ଏହା ହେଉଛି ଅସୀମ ମହାକାଶରେ ଭାରତର ବୈଜ୍ଞାନିକଙ୍କ ସାମର୍ଥ୍ୟର ଶଙ୍ଖନାଦ | ଇଣ୍ଡିଆ ଇଜ୍ ଅନ୍ ଦି ମୁନ୍।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଅଗଷ୍ଟ ୨୩ରେ ଭାରତ ଚନ୍ଦ୍ରରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲା। ଏଣିକି ଏହି ଦିନକୁ ଦେଶରେ ଜାତୀୟ ମହାକାଶ ଦିବସ ଭାବେ ପାଳନ କରାଯିବ |

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଚନ୍ଦ୍ର ପୃଷ୍ଠରେ ଯେଉଁ ସ୍ଥାନରେ ଚନ୍ଦ୍ରଯାନ-୨ ଏହାର ପଦଚିହ୍ନ ଛାଡିଥିଲା, ତାହା ‘ତିରଙ୍ଗା ପଏଣ୍ଟ’ ଭାବରେ ଜଣାଯିବ । ଭାରତ ଦ୍ୱାରା କରାଯାଇଥିବା ପ୍ରତ୍ୟେକ ପ୍ରୟାସ ପାଇଁ ଏହା ଏକ ପ୍ରେରଣା ହେବ | ଏହା ଆମକୁ ମନେ ପକାଇବ ଯେ କୌଣସି ବିଫଳତା ଶେଷ ନୁହେଁ |

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଚନ୍ଦ୍ରଯାନ-୩ ଅବତରଣ କରିବାର ଅଭୁତପୂର୍ବ ମୁହୂର୍ତ୍ତକୁ ମଧ୍ୟ ମନେ ପକାଇ କହିଥିଲେ ୨୩ ଅଗଷ୍ଟ ଦିନ ମୋ ଆଖି ସାମ୍ନାରେ ସେହି ଦୃଶ୍ୟ ପ୍ରତି ସେକେଣ୍ଡରେ ବାରମ୍ବାର ଝଲସି ଉଠୁଥିଲା।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆଜି ମୁଁ ଏକ ଭିନ୍ନ ସ୍ତରର ଖୁସି ଅନୁଭବ କରୁଛି … ଏଭଳି ସୁଯୋଗ ବହୁତ କ୍ୱଚିତ୍ … ଏଥର ମୁଁ ବହୁତ ବିଚଳିତ ଥିଲି … ମୁଁ ଦକ୍ଷିଣ ଆଫ୍ରିକାରେ ଥିଲି, କିନ୍ତୁ ମୋର ମନ ଆପଣଙ୍କ ସହିତ ଥିଲା।

ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ଅଗଷ୍ଟ ୨୩ରେ ସନ୍ଧ୍ୟା ୬:୦୪ ମିନିଟରେ ଚନ୍ଦ୍ରରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରିଥିଲା | ଆମେରିକା, ସୋଭିଏତ୍ ସଂଘ ଏବଂ ଚୀନ୍ ପରେ ଭାରତ ଚତୁର୍ଥ ଦେଶ ଭାବେ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲା । ତେବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ହେଉଛି ବିଶ୍ୱର ପ୍ରଥମ ଦେଶ। ଜୁଲାଇ ୧୪ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରଯାନ-୩ ଲଞ୍ଚ୍ ହୋଇଥିଲା ।