ମୁଖ୍ୟ ଅତିଥି ଭାବେ ଫ୍ରାନ୍ସର ବାଷ୍ଟିଲ୍ ଡେ ପରେଡରେ ଯୋଗ ଦେଲେ ମୋଦୀ | News Room Odisha

ମୁଖ୍ୟ ଅତିଥି ଭାବେ ଫ୍ରାନ୍ସର ବାଷ୍ଟିଲ୍ ଡେ ପରେଡରେ ଯୋଗ ଦେଲେ ମୋଦୀ

ପ୍ୟାରିସ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଫ୍ରାନ୍ସର ବାଷ୍ଟିଲ୍ ଡେ ପରେଡରେ ଯୋଗ ଦେଇଛନ୍ତି। ଆଜି ଫ୍ରାନ୍ସର ଜାତୀୟ ଦିବସ ଅବସରରେ ପ୍ୟାରିସରେ ବାଷ୍ଟିଲ୍ ଡି ପରେଡ୍ ଆୟୋଜିତ ହୋଇଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋଁଙ୍କ ସହ ବାଷ୍ଟିଲ୍ ଡି ପରେଡରେ ଯୋଗ ଦେଇଥିଲେ। ଏହି ପ୍ୟାରେଡରେ ଭାରତୀୟ ସେନାର ୩ଟି କଣ୍ଟିଜେଣ୍ଟ ମଧ୍ୟ ଭାଗ ନେଇଥିଲେ।

ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ମଞ୍ଚକୁ ଆସିବା କ୍ଷଣି ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋଁ ତାଙ୍କୁ ଅଭିବାଦନ ଜଣାଇଥିଲେ। ରାଷ୍ଟ୍ରପତି ମାକ୍ରୋଁଙ୍କ ସହ ତାଙ୍କ ପତ୍ନୀ ଏବଂ ଫ୍ରାନ୍ସର ପ୍ରଥମ ମହିଳା ବ୍ରିଗିଟ୍ ମାକ୍ରୋଁ ମଧ୍ୟ ଉପସ୍ଥିତ ଥିଲେ। ସୂଚନା ଅନୁଯାୟୀ ଏହି ପରେଡରେ ଭାରତୀୟ ସେନାର ୩ଟି କଣ୍ଟିଜେଣ୍ଟ୍ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ଭାରତୀୟ ବାୟୁସେନା ଏହାର କଳାକୌଶଳ ପ୍ରଦର୍ଶନ କରିବ।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫ୍ରାନ୍ସ ସରକାର ଦେଶର ସର୍ବୋଚ୍ଚ ସାମରିକ ଏବଂ ନାଗରିକ ସମ୍ମାନ “ଗ୍ରାଣ୍ଡ କ୍ରସ୍ ଅଫ୍ ଲିଜିଅନ୍ ଅଫ୍ ଅନର” ପ୍ରଦାନ କରିଛନ୍ତି । ଫ୍ରାନ୍ସର ଏହି ସମ୍ମାନ ପାଇବାରେ ମୋଦୀ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ।

ଏହି ସମ୍ମାନ ପୂର୍ବରୁ ବିଶ୍ବର ବିଭିନ୍ନ ବିଶିଷ୍ଟ ବ୍ୟକ୍ତିତ୍ୱମାନଙ୍କୁ ପ୍ରଦାନ କରାଯାଇଛି | ଏମାନଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ନେଲସନ ମଣ୍ଡେଲା, ବ୍ରିଟେନର ରାଜା ଚାର୍ଲ୍ସ, ଜର୍ମାନର ପୂର୍ବତନ ଚାନ୍ସେଲର ଆଞ୍ଜେଲା ମର୍କେଲ ଏବଂ ଜାତିସଂଘର ପୂର୍ବତନ ସେକ୍ରେଟେରୀ ଜେନେରାଲ ବୁଟ୍ରୋସ୍ ବୁଟ୍ରୋସ୍ ଘାଲି ।