ଆଜି ପୁଲୱାମା ଆକ୍ରମଣର ବାର୍ଷିକୀ, ସହିଦ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ | News Room Odisha

ଆଜି ପୁଲୱାମା ଆକ୍ରମଣର ବାର୍ଷିକୀ, ସହିଦ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପୁଲୱାମା ଆକ୍ରମଣର ବାର୍ଷିକୀ | ୨୦୧୯ରେ ଜମ୍ମୁ କାଶ୍ମୀରର ପୁଲୱାମାରେ ସିଆରପିଏଫ୍ ଯବାନଙ୍କ ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣରେ ୪୦ ଯବାନ ସହିଦ୍ ହୋଇଥିଲେ । ସହିଦ୍ ଯବାନଙ୍କୁ ମନେ ପକାଇ ଦେଶ ଆଜି ପୁଲଓ୍ବାମା ଦିବସ ପାଳନ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସହିଦ୍ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି- “ଆମ ବୀର ନାୟକମାନଙ୍କୁ ମନେ ପକାଇବା, ଯାହାଙ୍କୁ ଏହି ଦିନ ଆମେ ପୁଲୱାମାରେ ହରାଇଥିଲୁ । ଆମେ ସେମାନଙ୍କର ସର୍ବୋଚ୍ଚ ବଳିଦାନକୁ କେବେ ବି ଭୁଲି ପାରିବୁ ନାହିଁ। ସେମାନଙ୍କର ସାହସ ଆମକୁ ଏକ ଶକ୍ତିଶାଳୀ ତଥା ବିକଶିତ ଭାରତ ଗଠନ ପାଇଁ ପ୍ରେରଣା ଯୋଗାଏ।”

ଉଲ୍ଲେଖଯୋଗ୍ୟ, ୨୦୧୯ ଫେବୃଆରୀ ୧୪ରେ ପୁଲଓ୍ବାମାରେ ଜଣେ ଆତ୍ମଘାତୀ ଆତଙ୍କବାଦୀ ବିସ୍ଫୋରକ ଭର୍ତ୍ତି ଗାଡିକୁ ସିଆରପିଏଫ୍ ଯବାନଙ୍କ କନଭଏ ନିକଟରେ ବିସ୍ଫୋରଣ କରିଦେଇଥିଲା ‌। ଏହି ଆତଙ୍କୀ ହମଲାରେ ୪୦ରୁ ଅଧିକ ଯବାନ ସହିଦ୍ ହୋଇଥିଲେ। ଏହି ଘଟଣାର କିଛି ଦିନ ପରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଆତଙ୍କବାଦୀ ଶିବିର ଉପରେ ବିମାନ ଆକ୍ରମଣ କରିଥିଲା।

ଅନ୍ୟପକ୍ଷରେ ପୁଲଓ୍ବାମା ଆକ୍ରମଣ ବର୍ଷିକୀ ପୂର୍ବରୁ ସୁରକ୍ଷା ବାହିନୀ ସୋମବାର ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ କରିଛି । ସୁରକ୍ଷା ବାହିନୀ ପୁଲୱାମାରେ ଜୈଶ-ଏ-ମହମ୍ମଦର ଦୁଇଜଣ ସକ୍ରିୟ ସଦସ୍ୟଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୨୫ ହ୍ୟାଣ୍ଡ ଗ୍ରେନେଡ, ଗୋଟିଏ ପିସ୍ତଲ, ଦୁଇଟି ପିସ୍ତଲ ମାଗାଜିନ୍, ୨୩୦ ପିସ୍ତଲ ରାଉଣ୍ଡ, ୧୦ ଏକେ ରାଇଫଲ ମାଗାଜିନ୍ ଏବଂ ୩୦୦ ଏକେ କାର୍ଟ୍ରିଜ୍ ଜବତ କରାଯାଇଛି ।