'ଡିପଫେକ୍' ଭିଡ଼ିଓ ନେଇ ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ | News Room Odisha

‘ଡିପଫେକ୍’ ଭିଡ଼ିଓ ନେଇ ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଡିପଫେକ୍’ ଭଳି ସଫ୍ଟୱେରର ଅପବ୍ୟବହାର ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏଭଳି ଟେକ୍ନୋଲୋଜି ସମାଜରେ ଅରାଜକତା ସୃଷ୍ଟି କରିପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ମୋଦୀ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଇଣ୍ଟରନେଟରେ ଏହିପରି ଭିଡିଓ ପ୍ରସାରିତ ହେଲେ ଚାଟ୍‌ଜିପିଟି ଟିମକୁ ଲୋକଙ୍କୁ ଅବଗତ କରିବା ସହ ଚେତାବନୀ ଜାରି କରିବା ଦରକାର । ଗଣମାଧ୍ୟମ ଲୋକଙ୍କୁ ଏହି ପ୍ରସଙ୍ଗରେ ସଚେତନ କରିବା ଉଚିତ।

ଏଭଳି ମାମଲାରେ ପୀଡିତମାନଙ୍କୁ ପୋଲିସ ନିକଟରେ ଅଭିଯୋଗ କରିବା ଏବଂ ‘ଆଇଟି ନିୟମ ଅନୁଯାୟୀ ଉପଲବ୍ଧ ଉପାୟର ଉପଯୋଗ କରିବାକୁ’ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଗତ ସପ୍ତାହରେ କହିଥିଲେ ଯେ ଭୁଲ ତଥ୍ୟ ପ୍ରସାରକୁ ରୋକିବା ଅନଲାଇନ୍ ପ୍ଲାଟଫର୍ମର ‘ଆଇନଗତ ଦାୟିତ୍ୱ’ |

ଡିପ୍ ଫେକ୍ ଭିଡ଼ିଓ ସେୟାର କରିବା ନେଇ ସରକାର ପୂର୍ବରୁ ଚେତାବନୀ ଦେଇସାରିଛନ୍ତି । ଏଭଳି ଭିଡ଼ିଓ ପ୍ରସ୍ତୁତ ଏବଂ ପ୍ରସାର କଲେ କଠୋର ଦଣ୍ଡର ବ୍ୟବସ୍ଥା ରହିଛି ବୋଲି କେନ୍ଦ୍ର ସରକାର କହିଛନ୍ତି । ଏହାଛଡ଼ା ଏହି ଅପରାଧ ପାଇଁ ଏକ ଲକ୍ଷ ଟଙ୍କା ଜରିମାନା ଓ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ।

ନିକଟରେ ବଲିଉଡ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନା, କ୍ୟାଟ୍ରିନା କୈଫ୍ ଓ କାଜୋଲଙ୍କ ଡିପ୍ ଫେକ୍ ଭିଡ଼ିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏଭଳି ଭିଡ଼ିଓ ବନାଉଥିବା ଲୋକଙ୍କୁ କଠୋର ଦଣ୍ତ ଦେବାକୁ ବିଗ୍ ବି ଅମିତାଭ ବଚ୍ଚନ ମଧ୍ୟ ଦାବି କରିଥିଲେ ।