ଦେଶର ଇତିହାସକୁ ନେଇ ହୋଇଥିବା ଭୁଲକୁ ସଂଶୋଧନ କରାଯାଉଛି: ମୋଦି | News Room Odisha

ଦେଶର ଇତିହାସକୁ ନେଇ ହୋଇଥିବା ଭୁଲକୁ ସଂଶୋଧନ କରାଯାଉଛି: ମୋଦି

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଦେଶର ଇତିହାସ ଲେଖିବା ବେଳେ ଯେଉଁ ଭୁଲ୍ ହୋଇଥିଲା ତାହାକୁ ଏବେ ସଂଶୋଧନ କରାଯାଉଛି ।

ଆସାମର ଅହୋମ ସାମ୍ରାଜ୍ୟର ଜେନେରାଲ ଲାଚିତ ବରଫୁକାନଙ୍କ ୪୦୦ ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏହା କହିଛନ୍ତି।

ମୋଦି କହିଛନ୍ତି, ମା’ ଭାରତୀଙ୍କୁ ଆସାମର ଏହି ମହାନ ମାଟି ଲଚିତଙ୍କ ପରି ବୀର ଦେଇଛି। ଆଜି ଭାରତ ନିଜ ସଂସ୍କୃତିର ଐତିହାସିକ ନାୟକ ଏବଂ ନାୟିକାମାନଙ୍କୁ ଗର୍ବର ସହିତ ମନେ ପକାଉଛି | ଲଚିତଙ୍କ ପରି ମା’ ଭାରତୀଙ୍କ ଅମର ସନ୍ତାନମାନେ ଆମର ପ୍ରେରଣା | ଏହି ଶୁଭ ଅବସରରେ ମୁଁ ଲଚିତଙ୍କୁ ପ୍ରଣାମ କରୁଛି |

“ଯଦି କେହି ଆମକୁ ଖଣ୍ଡା ମୁନର ନଇଁବାକୁ ଚାହାଁନ୍ତି, ଆମର ଶାଶ୍ବତ ପରିଚୟକୁ ପରିବର୍ତ୍ତନ କରିବାକୁ ଚାହାଁନ୍ତି, ତେବେ ଆମେ ମଧ୍ୟ ଏହାର ଜବାବ କିପରି ଦିଆଯିବ ଜାଣୁ | ଆସାମ ଏବଂ ଉତ୍ତରପୂର୍ବ ଏହାର ସାକ୍ଷୀ ରହିଆସିଛି |

ଇତିହାସ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ୱାଧୀନତା ପରେ ମଧ୍ୟ ଆମକୁ ସେହି ଇତିହାସ ପଢ଼ା ଯାଇଥିଲା ଯାହା ଉପନିବେଶ ଅମଳରେ ଷଡ଼ଯନ୍ତ୍ର କରି ରଚା ଯାଇଥିଲା। ସ୍ବାଧୀନତା ପରେ ଦାସତ୍ୱର ଏଜେଣ୍ଡା ପରିବର୍ତ୍ତନ କରିବାର ଆବଶ୍ୟକତା ଥିଲା, କିନ୍ତୁ ତାହା ହୋଇ ନଥିଲା।

“ଭାରତର ଇତିହାସ କେବଳ ଦାସତ୍ୱର ଇତିହାସ ନୁହେଁ, ଏହା ଯୋଦ୍ଧାମାନଙ୍କର ଇତିହାସ… ଭାରତର ଇତିହାସ ବିଜୟ, ବୀରତ୍ୱ, ବଳିଦାନ, ମହାନ ପରମ୍ପରାର ଇତିହାସ। ସମ୍ରାଟ ଲଚିତଙ୍କ ପରି ବୀରଙ୍କ ପରାକ୍ରମ କ’ଣ ଆମ ପାଇଁ କିଛି ମାନେ ରଖୁନାହିଁ ? ଇତିହାସ ବିଷୟରେ ପୂର୍ବରୁ ହୋଇଥିବା ତ୍ରୁଟିକୁ ବର୍ତ୍ତମାନ ଦେଶ ସଂଶୋଧନ କରୁଛି |

ସେ କହିଛନ୍ତି, “ଏଠାରେ ଦିଲ୍ଲୀରେ ହେଉଥିବା ଏହି କାର୍ଯ୍ୟକ୍ରମ ଏହାର ପ୍ରତିଫଳନ ଅଟେ। ଲଚିତଙ୍କ ଜୀବନ ଆମକୁ ବ୍ୟକ୍ତିଗତ ସ୍ୱାର୍ଥ ଅପେକ୍ଷା ଦେଶର ସ୍ୱାର୍ଥକୁ ପ୍ରାଧାନ୍ୟ ଦେବାକୁ ପ୍ରେରଣା ଦିଏ ।

ଏହାପୂର୍ବରୁ ଏହି କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଯେ ଭାରତର ଇତିହାସକୁ ବିକୃତ କରାଯାଇଛି । ଏହାକୁ ପୁଣି ନୂଆକରି ଲେଖିବାକୁ ଆମକୁ କେହି ଅଟକାଇ ପାରିବେନି।