ଅନାସ୍ଥା ପ୍ରସ୍ତାବ ଉପରେ ଆଜି ଜବାବ ରଖିବେ ପ୍ରଧାନମନ୍ତ୍ରୀ ମୋଦୀ | News Room Odisha

ଅନାସ୍ଥା ପ୍ରସ୍ତାବ ଉପରେ ଆଜି ଜବାବ ରଖିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ମଣିପୁର ହିଂସା ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜବାବ ରଖିବେ । କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ ଏହା ନିଶ୍ଚିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ ଦଳଙ୍କୁ ପାଲଟା ଆକ୍ରମଣ କରିବା ସମ୍ଭାବନା ରହିଛି । ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ମୋଦି ଅପରାହ୍ନ ୪ଟାରେ ଲୋକସଭାରେ ନିଜ ବକ୍ତବ୍ୟ ରଖିବେ । ମଣିପୁର ହିଂସା ପ୍ରସଙ୍ଗରେ ଜୁଲାଇ ୨୬ରେ ବିରୋଧୀ ମୋଦୀ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ ଯାହାକୁ ଲୋକସଭା ବାଚସ୍ପତି ଓମ ବିର୍ଲା ଗ୍ରହଣ କରିଥିଲେ।

ବୁଧବାର ଅନାସ୍ଥା ପ୍ରସ୍ତାବ ଉପରେ ସରଗରମ ଆଲୋଚନା ହୋଇଥିଲା । କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରାୟ ୩୫ ମିନିଟ ଧରି ଭାଷଣ ଦେଇଥିଲେ। ରାହୁଲ ଗାନ୍ଧୀ ମଣିପୁର ହିଂସା ନେଇ କେନ୍ଦ୍ର ଉପରେ ତୀବ୍ର ଆକ୍ରମଣ କରିଥିଲେ । ରାହୁଲ ମଣିପୁରରେ ନିରୀହ ଲୋକଙ୍କ ହତ୍ୟାକୁ ଭାରତ ମାତାର ହତ୍ୟା ସହ ତୁଳନା କରିଥିଲେ । ଏହାଛଡ଼ା ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଥିଲେ। ଏହା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିରୋଧୀଙ୍କ ଅଭିଯୋଗର ଜବାବ ଦେଇଥିଲେ । ଶାହ କହିଥିଲେ ଯେ ମଣିପୁର ହିଂସା ଲଜ୍ଜାଜନକ । କିନ୍ତୁ ଏହାକୁ ନେଇ ରାଜନୀତି କରିବା ଆହୁରି ଲଜ୍ଜାଜନକ । ମଣିପୁର ଉପରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ନୁହଁନ୍ତି ବୋଲି ସାରା ଦେଶରେ ଲୋକଙ୍କ ମଧ୍ୟରେ ଏକ ଭୁଲ ଧାରଣା ସୃଷ୍ଟି କରାଯାଉଛି । ପ୍ରଥମ ଦିନରୁ ଆମେ ଆଲୋଚନା ପାଇଁ ପ୍ରସ୍ତୁତ ଥିଲୁ, କିନ୍ତୁ ବିରୋଧୀ କେବଳ ବିରୋଧ କରିବାକୁ ଚାହୁଁଥିଲେ | ଅମିତ ଶାହା କହିଛନ୍ତି ଯେ ମଣିପୁର ହିଂସା ଜାତିଗତ । ଏହାର ବାସ୍ତବତା ଜାଣିବା ଆବଶ୍ୟକ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଦେଶବାସୀଙ୍କ ଦୃଢ଼ ବିଶ୍ୱାସ ରହିଛି। ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ କେବଳ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଶାହ କହିଥିଲେ ।