'ପିଏମ୍-କିସାନ' ଯୋଜନାର ଦ୍ବାଦଶ କିସ୍ତି ଜାରି, ଚାଷୀଙ୍କ ବ୍ୟାଙ୍କ୍ ଖାତାକୁ ଗଲା ୧୬ ହଜାର କୋଟି | News Room Odisha

‘ପିଏମ୍-କିସାନ’ ଯୋଜନାର ଦ୍ବାଦଶ କିସ୍ତି ଜାରି, ଚାଷୀଙ୍କ ବ୍ୟାଙ୍କ୍ ଖାତାକୁ ଗଲା ୧୬ ହଜାର କୋଟି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନର ପୁସ ମେଳା ଗ୍ରାଉଣ୍ଡରେ ଦୁଇ ଦିନିଆ “ପିଏମ୍ କିସାନ ସମ୍ମାନ ସମ୍ମିଳନୀ ୨୦୨୨” ର ଉଦଘାଟନ କରିଛନ୍ତି । ଏହି ଅବସରରେ ମୋଦୀ ‘ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି (ପିଏମ୍-କିସାନ) ଯୋଜନା ଅନ୍ତର୍ଗତ ଦ୍ୱାଦଶ କିସ୍ତି ଜାରି କରିଛନ୍ତି । ଦ୍ବାଦଶ କିସ୍ତିରେ ଯୋଗ୍ୟ ଚାଷୀମାନଙ୍କ ବ୍ୟାଙ୍କ୍ ଖାତାକୁ ୧୬ ହଜାର କୋଟି ଟଙ୍କା ପଠାଯାଇଛି ।

ତାଙ୍କ ସରକାରଙ୍କ ଅଷ୍ଟମ ବାର୍ଷିକୀ ଅବସରରେ ମେ ମାସରେ ହିମାଚଳ ପ୍ରଦେଶ ରାଜଧାନୀ ଶିମଲାରେ କିସାନ ସମ୍ମାନ ନିଧିର ଏକାଦଶ କିସ୍ତି ଭାବେ ମୋଦୀ ୨୧,୦୦୦ କୋଟି ଟଙ୍କା ଜାରି କରିଥିଲେ।

ଏହି ଅବସରରେ ମୋଦି ଏଗ୍ରି ଷ୍ଟାର୍ଟଅପ୍ କନକ୍ଲେଭ ଏବଂ ପ୍ରଦର୍ଶନୀକୁ ମଧ୍ୟ ଉଦଘାଟନ କରିଛନ୍ତି। ଏହାଛଡ଼ା ସେ କେନ୍ଦ୍ର ରସାୟନିକ ଏବଂ ସାର ମନ୍ତ୍ରଣାଳୟ ଅଧୀନରେ ୬୦୦ ପିଏମ୍-କିସାନ ସମୃଦ୍ଧି କେନ୍ଦ୍ରର ଉଦଘାଟନ କରିଛନ୍ତି। ‘ଭାରତ’ ୟୁରିଆ ବ୍ରାଣ୍ଡ୍ ନାମରେ କୃଷକମାନଙ୍କ ପାଇଁ ‘ଏକ ଦେଶ-ଏକ ସାର’ ନାମକ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନାର ମଧ୍ୟ ଶୁଭାରମ୍ଭ ହୋଇଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କୋଟି କୋଟି କୃଷକ, କୃଷି ଷ୍ଟାର୍ଟଅପ୍, ଗବେଷକ, ନୀତି ନିର୍ଣ୍ଣୟକାରୀ, ବ୍ୟାଙ୍କର୍ ଓ ଅନ୍ୟ ହିତାଧିକାରୀଙ୍କୁ ସମ୍ବୋଧିତ କରିଥିଲେ।

କୃଷି ମନ୍ତ୍ରଣାଳୟ ଅନୁଯାୟୀ ଡିଜିଟାଲ ମାଧ୍ୟମରେ ଏକ କୋଟିରୁ ଅଧିକ ଚାଷୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଦେଶର ମଧ୍ୟମ ଏବଂ କ୍ଷୁଦ୍ର ଚାଷୀଙ୍କୁ ସହାୟତା ପାଇଁ ଆରମ୍ଭ ହୋଇଥିବା ଏହି ଯୋଜନାକୁ ଆଠ ବର୍ଷ ପୂରିଛି । ଦେଶର କୋଟି କୋଟି ଚାଷୀ ଏହି ଯୋଜନା ଦ୍ୱାରା ଉପକୃତ ହୋଇଛନ୍ତି |