ଲାଲକିଲାରୁ ବିରୋଧୀଙ୍କୁ ଟାର୍ଗେଟ୍ କଲେ ପ୍ରଧାନମନ୍ତ୍ରୀ, କହିଲେ ଦୁର୍ନୀତି, ପରିବାରବାଦ ଓ ତୁଷ୍ଟିକରଣ ଦେଶର ବଡ଼ ଶତ୍ରୁ | News Room Odisha

ଲାଲକିଲାରୁ ବିରୋଧୀଙ୍କୁ ଟାର୍ଗେଟ୍ କଲେ ପ୍ରଧାନମନ୍ତ୍ରୀ, କହିଲେ ଦୁର୍ନୀତି, ପରିବାରବାଦ ଓ ତୁଷ୍ଟିକରଣ ଦେଶର ବଡ଼ ଶତ୍ରୁ

ନୂଆଦିଲ୍ଲୀ : ଦଶମ ଥର‌ ଲାଲକିଲାରୁ ସ୍ବାଧୀନତା ଦିବସ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀଙ୍କୁ ଆକ୍ରମଣ କରିଛନ୍ତି । ସେ ଓଦୁର୍ନୀତି, ପରିବାରବାଦ ଏବଂ ତୁଷ୍ଟିକରଣକୁ ଗଣତନ୍ତ୍ରର ତିନୋଟି ବିକୃତି ବୋଲି କହିଛନ୍ତି । ଏଥିପାଇଁ ଦେଶ ତଥା ସମାଜର ବହୁ କ୍ଷତି ହୋଇଛି । ଏହି ତିନି ବିକୃତି ବିରୋଧରେ ତାଙ୍କ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

୭୭ ତମ ସ୍ବାଧିନତା ଦିବସ ଅବସରରେ ଲାଲକିଲାରୁ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପଥରେ ଏହି ତିନି ‘ବିକୃତି’ ପ୍ରତିବନ୍ଧକ । ଗତ ୭୫ ବର୍ଷ ମଧ୍ୟରେ କିଛି ବିକୃତି ଆମ ସାମାଜିକ ବ୍ୟବସ୍ଥାର ଏକ ଅଂଶବିଶେଷ ହୋଇଯାଇଛି।

ବେଳେବେଳେ ତ ଆମେ ଏଗୁଡ଼ିକ ପ୍ରତି ଆଖି ବନ୍ଦ କରିଦେଉ | କିନ୍ତୁ ବର୍ତ୍ତମାନ ଆଖି ଖୋଲି ଏହି ତିନି ବିକୃତି ବିରୁଦ୍ଧରେ ଲଢ଼ିବା ସମୟ ଆସିଛି ।

ମୋଦୀ କହିଛନ୍ତି, ଆମ ଦେଶର ସବୁ ସମସ୍ୟାର ମୂଳରେ ରହିଛି ଦୁର୍ନୀତି , ଯାହା କୀଟ ଭଳି ଦେଶର ପୂରା ବ୍ୟବସ୍ଥା ଏବଂ ସାମର୍ଥ୍ୟକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦେଇଛି। ଦୁର୍ନୀତିରୁ ମୁକ୍ତି ପାଇଁ ଲଢେ଼ଇ ଜାରି ରହିବ । ଏହା ମୋ ଜୀବନର ସଂକଳ୍ପ । ରାଜନୀତିରେ ପରିବାରବାଦ ବିଷୟରେ ଉଲ୍ଲେଖ କରି କଂଗ୍ରେସକୁ ପରୋକ୍ଷରେ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଛନ୍ତି ପରିବାରବାଦ ଦେଶକୁ ଲୁଟି ଧ୍ୱଂସ କରିସାରିଛି। ପରିବାରବାଦ ଦେଶର ଲୋକଙ୍କ ଅଧିକାର ଛଡ଼ାଇ ନେଇଛି। ତୁଷ୍ଟିକରଣକୁ ‘ତୃତୀୟ ବିକୃତି’ ବୋଲି ବର୍ଣ୍ଣନା କରି ମୋଦୀ କହିଛନ୍ତି ଯେ ଏହା ଦେଶର ମୌଳିକ ଚିନ୍ତାଧାରା ଏବଂ ସର୍ବସମାବେଶୀ ଜାତୀୟ ଚରିତ୍ରକୁ କଳୁଷିତ କରିଛି।

କୌଣସି ରାଜନୈତିକ ଦଳର ନାମ ନ ନେଇ ସେ କହିଛନ୍ତି ଯେ ଏହି ଲୋକମାନେ ଦେଶର ଅନେକ କ୍ଷତି କରିଛନ୍ତି। ଆମକୁ ଆମର ସମସ୍ତ ଶକ୍ତି ସହ ଏହି ତିନି ବିକୃତି ବିରୋଧରେ ଲଢ଼ିବାକୁ ପଡିବ |

ଦୁର୍ନୀତି, ତୁଷ୍ଟିକରଣ ଏବଂ ପରିବାରବାଦ ବିକାଶର ସବୁଠାରୁ ବଡ଼ ଶତ୍ରୁ । ଯଦି ଦେଶ ବିକାଶ ଚାହୁଁଛି, ଯଦି ଦେଶ ୨୦୪୭ ମସିହା ସୁଦ୍ଧା ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାକୁ ଚାହୁଁଛି, ତେବେ ଏଭଳି ବିକୃତିକୁ ଆଉ ବରଦାସ୍ତ ନ କରି ଏହା ବିରୋଧରେ ସାମୁହିକ ଲଢ଼େଇ କରିବାକୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ।