ଲେଖାକୁ ନେଇ ବିବାଦ ପରେ ସ୍ପଷ୍ଟୀକରଣ ଦେଲେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା, କହିଲେ ନୂଆ ସମ୍ବିଧାନ ଲାଗୁ କରିବା ମତ ବ୍ୟକ୍ତିଗତ | News Room Odisha

ଲେଖାକୁ ନେଇ ବିବାଦ ପରେ ସ୍ପଷ୍ଟୀକରଣ ଦେଲେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା, କହିଲେ ନୂଆ ସମ୍ବିଧାନ ଲାଗୁ କରିବା ମତ ବ୍ୟକ୍ତିଗତ

ନୂଆଦିଲ୍ଲୀ: ଦେଶ ପାଇଁ ଏକ‌ ନୂଆ ସମ୍ବିଧାନ ଲାଗୁ କରିବା ସପକ୍ଷରେ ତାଙ୍କ ଲେଖାକୁ ନେଇ ସମାଲୋଚିତ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ୍)ର ଅଧ୍ୟକ୍ଷ ବିବେକ ଦେବରାୟ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ ୭୭ ତମ ସ୍ୱାଧୀନତା ଦିବସରେ ପ୍ରକାଶିତ ତାଙ୍କ ସ୍ତମ୍ଭରେ ନୂଆ ସମ୍ବିଧାନ ଉପରେ ତାଙ୍କର ମତ ‘ବ୍ୟକ୍ତିଗତ’ ଥିଲା ।

ବିବେକ ଦେବରୟ ତାଙ୍କ ସ୍ତମ୍ଭରେ ଲେଖିଥିଲେ, ବର୍ତ୍ତମାନ ସମୟ ଆସିଛି ‘ଆମେ ଜନସାଧାରଣ’ ଏକ ନୂଆ ସମ୍ବିଧାନକୁ ଆପଣାଇବା …”

ତାଙ୍କର ଏହି ସ୍ତମ୍ଭ ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ । ମୋଦୀ ସରକାର ସଂଘ ପରିବାରର ଇଛା ମୁତାବକ ଦେଶରେ ନୂଆ ସମ୍ବିଧାନ ଲାଗୁ କରିବାକୁ ପ୍ରସ୍ତୁତି କରୁଛନ୍ତି। ତାଙ୍କ ଅର୍ଥନୈତିକ ପରାମର୍ଶଦାତାଙ୍କ ଲେଖାରୁ ଏହା ପ୍ରମାଣିତ ହୋଇଛି ବୋଲି କହିଥିଲେ ବିରୋଧୀ ।

ବିବାଦ ପରେ ବିବେକ ଦେବରାୟ ଏହା ତାଙ୍କ ବ୍ୟକ୍ତିଗତ ମତ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି, ଯେତେବେଳେ ବି ଜଣେ ବ୍ୟକ୍ତି ସ୍ତମ୍ଭ ଲେଖନ୍ତି, ଏହା ଲେଖକଙ୍କ ବ୍ୟକ୍ତିଗତ ଦୃଷ୍ଟିକୋଣକୁ ପ୍ରତିଫଳିତ କରିଥାଏ, ସେହି ସଂସ୍ଥାର ଦୃଷ୍ଟିକୋଣ ନୁହେଁ ଯାହା ସହ ସେହି ବ୍ୟକ୍ତି ଜଡିତ ଥାଆନ୍ତି |

ବିବେକ ଦେବରାୟ କହିଛନ୍ତି, ଏ‌ହା ଦୁର୍ଭାଗ୍ୟଜନକ ଯେ ଲୋକମାନେ ତାଙ୍କ ବ୍ୟକ୍ତିଗତ ମତକୁ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ୍)ର ଦୃଷ୍ଟିକୋଣ ବୋଲି ଧରି ନେଇଥିଲେ। ସେ କହିଛନ୍ତି ଯେ ଇଏସି-ପିଏମ୍ ଯେତେବେଳେ ନିଜ ମତାମତ ସର୍ବସାଧାରଣ ଡୋମେନକୁ ଆଣିଥାଏ, ଏହାକୁ ନିଜ ୱେବସାଇଟରେ ଅପଲୋଡ୍ କରେ ଏବଂ ଏହାର ହ୍ୟାଣ୍ଡେଲରୁ ଟ୍ୱିଟ୍ କରେ |