ମୁଣ୍ଡକା ଅଗ୍ନିକାଣ୍ଡ ଘଟଣା: ଫେରାର ବିଲ୍ଡିଂ ମାଲିକ ଗିରଫ | News Room Odisha

ମୁଣ୍ଡକା ଅଗ୍ନିକାଣ୍ଡ ଘଟଣା: ଫେରାର ବିଲ୍ଡିଂ ମାଲିକ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ମୁଣ୍ଡକା ଅଗ୍ନିକାଣ୍ଡ ଘଟଣାରେ ପୋଲିସ ବିଲ୍ଡିଂର ମାଲିକ ମନୀଷ ଲାକ୍ରାଙ୍କୁ ଗିରଫ କରିଛି। ଘଟଣାର ତଦନ୍ତ କରୁଥିବା ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି। ବିଲ୍ଡିଂରେ ଯେତେବେଳେ ନିଆଁ ଲାଗିଥିଲା, ମନୀଷ ତାଙ୍କ ପରିବାର ସହିତ ବିଲ୍ଡିଂର ଉପର ମହଲାରେ ଥିଲେ ଏବଂ ଏକ କ୍ରେନ୍ ସାହାଯ୍ୟରେ ଉଦ୍ଧାର ହେବା ପରେ ଫେରାର ହୋଇଯାଇଥିଲେ। ତାଙ୍କୁ ଧରିବା ପାଇଁ ପୋଲିସ ଟିମ୍ ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା ​​। ଆଜି ସକାଳେ ପୋଲିସ ମନୀଷଙ୍କୁ ଗିରଫ କରିଛି।

ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀର ମୁଣ୍ଡକା ଅଞ୍ଚଳର ଏକ ବ୍ୟବସାୟିକ କୋଠାରେ ଭୟାବହ ଅଗ୍ନିକାଣ୍ଡ ଘଟି ୨୭ ଜଣଙ୍କର ମୃତ୍ୟୁ ହୋଇଥିଲା। ପୋଲିସର ଏଫଆଇଆର ମୁତାବକ ବିଲ୍ଡିଂର ଦ୍ୱିତୀୟ ମହଲାରେ ଏକ ବୈଠକ ଚାଲିଥିଲା ​​ଯେଉଁଥିରେ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ । ଏହି ସମୟରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଯୋଗୁଁ ଲୋକମାନେ ବିଲ୍ଡିଂରେ ଫସି ଯାଇଥିଲେ। ବିଲଡିଂରେ କୌଣସି ଇମର୍ଜନ୍ସି ପ୍ରସ୍ଥାନ ଦ୍ବାର ମଧ୍ୟ ନଥିଲା ।

ଏହି ସମ୍ପତ୍ତି ଭଡା ନେଇଥିବା ଦୁଇ ଭାଇ ହରିଶ ଏବଂ ବରୁଣ ଗୋଏଲଙ୍କ ବ୍ୟତୀତ ମାଲିକ ମନୀଷ ଲାକ୍ରା, ତାଙ୍କ ମା ଏବଂ ପତ୍ନୀଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ଏଫ୍ଆଇଆର୍ ଅନୁଯାୟୀ ଗୋୟଲ ଭ୍ରାତାଙ୍କୁ ପୋଲିସ ପୂର୍ବରୁ ଗିରଫ କରିସାରିଛି। ମୋଟିଭେସନାଲ୍ ସ୍ପିଚ୍ କାର୍ଯ୍ୟକ୍ରମ ଚାଲୁଥିବା ଯୋଗୁଁ ଅଧିକାଂଶ କର୍ମଚାରୀ ଘଟଣା ସମୟରେ ଦ୍ୱିତୀୟ ମହଲାରେ ଉପସ୍ଥିତ ଥିଲେ |