ଉଜ୍ଜୟିନୀ ନାବାଳିକା ବଳାତ୍କାର ମାମଲାରେ ଅଟୋ ଡ୍ରାଇଭର ଅଟକ | News Room Odisha

ଉଜ୍ଜୟିନୀ ନାବାଳିକା ବଳାତ୍କାର ମାମଲାରେ ଅଟୋ ଡ୍ରାଇଭର ଅଟକ

ଉଜ୍ଜୟିନୀ : ମଧ୍ୟ ପ୍ରଦେଶର ଉଜ୍ଜୟିନୀ ସହରରେ ୧୨ ବର୍ଷର ନାବାଳିକା ବଳାତ୍କାର ମାମଲାରେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ଜଣେ ଅଟୋ ଡ୍ରାଇଭରକୁ ଅଟକ ରଖିଛି । ନାବାଳିକାକୁ ଗୁରୁତର ଆହତ ଅବସ୍ଥାରେ ଇନ୍ଦୋରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାର ଆଇସିୟୁରେ ଚିକିତ୍ସା ଚାଲିଛି ।

ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଗଣମାଧ୍ୟମକୁ କହିଛନ୍ତି, “ଏହି ମାମଲାରେ ଏକ ଏସଆଇଟି ଗଠନ କରାଯାଇଛି ଏବଂ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ଯାଞ୍ଚ୍ ପରେ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ”

ଗତକାଲି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଭିଡ଼ିଓରେ ବଳାତ୍କାର ପୀଡିତା ଝିଅଟି ଅର୍ଦ୍ଧନଗ୍ନ ଓ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ବୁଲୁଛି ଓ ଲୋକଙ୍କୁ ସାହାଯ୍ୟ କରିବାକୁ ନେହୁରା ହେଉଛି। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଝିଅଟିର ମୁମୂର୍ଷ ଅବସ୍ଥା ସତ୍ତ୍ବେ ଲୋକେ ତାକୁ ଘଉଡାଇ ଦେଉଥିଲେ ।

ଇନ୍ଦୋର ପୋଲିସ କହିବା ଅନୁଯାୟୀ ଆଚାର୍ଯ୍ୟ ରାହୁଲ ଶର୍ମା ନାମକ ଜଣେ ବ୍ୟକ୍ତି ଉକ୍ତ ନାବାଳିକା ବିଷୟରେ ପୋଲିସକୁ ସୂଚନା ଦେବା ପରେ ତାକୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାକୁ ଇନ୍ଦୋର ପଠାଯାଇଥିଲା।

ଉଜ୍ଜୟିନୀ ଏସପି ସଚିନ ବର୍ମା କହିଛନ୍ତି, ଗମ୍ଭୀରତାର ସହ ଏହି ଘଟଣାର ତଦନ୍ତ କରାଯାଉଛି। ନାବାଳିକାର ଡାକ୍ତରୀ ପରୀକ୍ଷାରୁ ବଳାତ୍କାର ସ୍ପଷ୍ଟ ହୋଇଛି । ଏହି ମାମଲାରେ ଜଣେ ଅଟୋ ଡ୍ରାଇଭରକୁ ଅଟକ ରଖାଯାଇଛି। ତାର ଅଟୋରେ କିଛି ରକ୍ତ ଦାଗ ଦେଖିବାକୁ ମିଳିଛି ଯାହାର ଅନୁସନ୍ଧାନ କରାଯାଉଛି। ଝିଅଟିର ଚିକିତ୍ସା ଚାଲିଛି ଏବଂ ବର୍ତ୍ତମାନ ତାର ଅବସ୍ଥା ସୁଧୁରୁଛି।