ନନ୍ଦିଗ୍ରାମରେ ଟିଏମସି-ବିଜେପି ସମର୍ଥକଙ୍କ ମଧ୍ୟରେ ହାତାହାତି, ପୋଲିଂ ବୁଥରୁ ରାଜ୍ୟପାଳଙ୍କୁ ଫୋନ୍ କଲେ ମମତା | News Room Odisha

ନନ୍ଦିଗ୍ରାମରେ ଟିଏମସି-ବିଜେପି ସମର୍ଥକଙ୍କ ମଧ୍ୟରେ ହାତାହାତି, ପୋଲିଂ ବୁଥରୁ ରାଜ୍ୟପାଳଙ୍କୁ ଫୋନ୍ କଲେ ମମତା

ନନ୍ଦିଗ୍ରାମ – ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ନନ୍ଦିଗ୍ରାମ ରଣକ୍ଷେତ୍ର ପାଲଟିଛି। ମମତା ବାନାର୍ଜୀ ଏଠାରେ ଏକ ମତଦାନ ବୁଥରେ ପହଞ୍ଚିବା ମାତ୍ରେ ବିଜେପି ଓ ଟିଏମସି ସମର୍ଥକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଆରମ୍ଭ ହୋଇଯାଇଥିଲା । ସ୍ଥିତି ଏପରି ହୋଇଥିଲା ଯେ ମମତା ପୋଲିଂ ବୁଥ୍ ଭିତରେ ଫସି ରହିଥିଲେ। ସେ ସେଠାରୁ ହିଁ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ଫୋନ କରି ବିଜେପିର ଲୋକମାନେ କାହାକୁ ଭୋଟ୍ ଦେବାକୁ ଦେଉ ନାହାଁନ୍ତି ବୋଲି ଅଭିଯୋଗ କରିଥିଲେ ।

ନିର୍ବାଚନ କମିଶନ ଅଧୀନରେ ଥିବା ଆଇନ ଶୃଙ୍ଖଳାକୁ ନେଇ ମମତା ବାନାର୍ଜୀ ଉଦବେଗ ପ୍ରକାଶ କରିଛନ୍ତି। ମମତା ମଧ୍ୟ ରାଜ୍ୟପାଳଙ୍କୁ କହିଥିଲେ ଯେ ଉତ୍ତେଜନା କାରଣରୁ ସେ ପୋଲିଂ ବୁଥ ଭିତରେ ଫସି ରହିଛନ୍ତି। ସେପଟେ ଡେପୁଟି ନିର୍ବାଚନ କମିଶନର ସୁଦୀପ ଜୈନ ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନନ୍ଦିଗ୍ରାମ ଏବଂ କେଶପୁରର ସ୍ଥିତି ସମ୍ପର୍କରେ ରିପୋର୍ଟ ମାଗିଛନ୍ତି।

ପୋଲିଂ ବୁଥରୁ ମମତା ବାନାର୍ଜୀ ରାଜ୍ୟପାଳଙ୍କୁ ଫୋନ୍ କରି କହିଥିଲେ ଯେ ସେମାନେ (ବିଜେପି କର୍ମୀ) ଏଠାରେ ସ୍ଥାନୀୟ ଲୋକଙ୍କୁ ଭୋଟ୍ ଦେବାକୁ ଦେଉ ନାହାଁନ୍ତି। ସକାଳୁ ମୁଁ ଏହି କଥା କହି ଆସୁଛି, ବର୍ତ୍ତମାନ ମୁଁ ଅପିଲ୍ କରୁଛି ଯେ ଆପଣ ଦୟାକରି ଏଠାକାର ସ୍ଥିତି ଦେଖନ୍ତୁ। ଏହାପୂର୍ବରୁ ମମତା ବାନାର୍ଜୀ କହିଥିଲେ ଯେ ‘ଯେଉଁମାନେ ସ୍ଲୋଗାନ ଦେଉଛନ୍ତି ସେମାନେ ବାହାର ଲୋକ। ଏହି ଲୋକମାନେ ୟୁପି ଏବଂ ବିହାରରୁ ଆସିଛନ୍ତି। ସେମାନଙ୍କୁ କେନ୍ଦ୍ରୀୟ ବାହିନୀର ସୁରକ୍ଷା ମିଳିଛି।

ମମତାଙ୍କ ଫୋନ କଲ୍ ପରେ ରାଜ୍ୟପାଳ ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମମତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।