ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ପୋଲାର୍ଡ

ମୁମ୍ବାଇ: ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିବା ଓ୍ବେଷ୍ଟଇଣ୍ଡିଜର ଷ୍ଟାର୍ ଅଲରାଉଣ୍ଡର କାଇରନ ପୋଲାର୍ଡ ହଠାତ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ବୁଧବାର ସେ ସୋସିଆଲ ମିଡିଆରେ ତାଙ୍କର ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇ ପ୍ରଶଂସକଙ୍କୁ ଚକିତ କରି ଦେଇଛନ୍ତି | ଚଳିତ ବର୍ଷ ଆରମ୍ଭରେ ଭାରତ ଗସ୍ତରେ ପୋଲାର୍ଡ ଟି-୨୦ ଏବଂ ଦିନିକିଆ ସିରିଜ୍ ଖେଳିଥିଲେ। ତେବେ ଚଳିତ ଆଇପିଏଲରେ ସେ ସେଭଳି ଆଶାନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି ।

ଭିଡିଓ ରିଲିଜ୍ କରି ପୋଲାର୍ଡ କହିଛନ୍ତି ଯେ ଗଭୀର ବିଚାର କରିବା ପରେ ମୁଁ ଆଜି ଆନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି। ଅନେକ ଯୁବ ଖେଳାଳିଙ୍କ ପରି ମୁଁ ମଧ୍ୟ ୧୦ ବର୍ଷର ବାଳକ ଥିବାବେଳେ ୱେଷ୍ଟଇଣ୍ଡିଜ୍ ଦଳ ପାଇଁ ଖେଳିବାର ସ୍ୱପ୍ନ ଦେଖିଥିଲି | ମୁଁ ଅତ୍ୟନ୍ତ ଗର୍ବିତ ଯେ ମୁଁ ଗତ ୧୫ ବର୍ଷ ମଧ୍ୟରେ ଉଭୟ ଦିନିକିଆ ଏବଂ ଟି-୨୦ ଫର୍ମାଟରେ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଦଳର ନେତୃତ୍ୱ ନେଇଛି |

କ୍ରିକେଟ୍ ର ଦ୍ରୁତ ଫର୍ମାଟ୍ ଟି-୨୦ ର ଜଣେ ବଡ଼ ଖେଳାଳି ଭାବେ ପରିଚିତ ୩୪ ବର୍ଷୀୟ ପୋଲାର୍ଡ ୱେଷ୍ଟଇଣ୍ଡିଜ୍ ପାଇଁ ମୋଟ ୧୨୩ ଟି ଦିନିକିଆ ଖେଳିଥିବାବେଳେ ୧୦୧ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ପ୍ରତିନିଧିତ୍ଵ କରିଥିଲେ | ପୋଲାର୍ଡ ଦିନିକିଆରେ ୨୭୦୬ ରନ୍ ସହ ମୋଟ ୫୫ ୱିକେଟ୍ ନେଇଛନ୍ତି | ଏଥି ସହିତ ଟି-୨୦ ରେ ନିଜ ଦେଶ ପାଇଁ ଖେଳି ସେ ୧୫୬୯ ରନ୍ ସହ ୪୨ ୱିକେଟ୍ ନେଇଛନ୍ତି।

Comments are closed.