ଦୀପାବଳି ପରେ ପୁଣି ବଢ଼ିଲା ଦିଲ୍ଲୀ ପ୍ରଦୂଷଣ  | News Room Odisha

ଦୀପାବଳି ପରେ ପୁଣି ବଢ଼ିଲା ଦିଲ୍ଲୀ ପ୍ରଦୂଷଣ 

ନୂଆଦିଲ୍ଲୀ: ଦୀପାବଳିର ଦିନକ ପରେ ଦିଲ୍ଲୀରେ ପ୍ରଦୂଷଣ ସ୍ତର ପୁଣି ବଢ଼ିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ କରି ଦିଲ୍ଲୀବାସୀ ଦୀପାବଳିରେ ଧୁମ୍ ବାଣ ଫୁଟାଇଛନ୍ତି । ଫଳସ୍ବରୂପ ଦିଲ୍ଲୀ-ଏନସିଆରରେ ବାୟୁ ପୁଣି ବିଷାକ୍ତ ହୋଇଛି । ଶୁକ୍ରବାର ଓ ଶନିବାର ବର୍ଷା ଯୋଗୁଁ ଜାତୀୟ ରାଜଧାନୀରେ ପ୍ରଦୂଷଣ ସ୍ତରର ସାମାନ୍ୟ ଉନ୍ନତି ଘଟିଥିଲା। ହେଲେ ଦୀପାବଳିରେ ଆତସବାଜି ଯୋଗୁଁ ସ୍ଥିତି ପୁଣି ବିଗିଡ଼ିଛି | ଦିଲ୍ଲୀର ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ସ୍ତର ପ୍ରାୟ ୩୦୦ରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ସୂଚନା ମୁତାବକ ଦିଲ୍ଲୀର ବାୟୁ ଗୁଣବତ୍ତା ସୋମବାର ‘ଖରାପ’ ବର୍ଗରେ ରହିଛି। ।

ସୋମବାର ସକାଳେ ଦିଲ୍ଲୀର ଆକାଶ ଧୂଆଁମୟ ହୋଇଯାଇଛି। ଭିଜିବିଲିଟି ମଧ୍ୟ କମିଛି | ଦିଲ୍ଲୀର ହାରାହାରି ଏକ୍ୟୁଆଇ ବା ବାୟୁ ଗୁଣବତ୍ତା ସୂଚକାଙ୍କ “ଖରାପ” ବର୍ଗରେ ରହିଛି | ଯଦି ପଞ୍ଜାବ, ହରିୟାଣା ଏବଂ ଉତ୍ତର ପ୍ରଦେଶର ଚାଷୀ ନଡ଼ା ଜାଳିବା ଜାରି ରଖନ୍ତି ତେବେ ପ୍ରଦୂଷଣ ସ୍ତର ଆହୁରି ବଢ଼ିପାରେ।

ସୁପ୍ରିମକୋର୍ଟଙ୍କ ନିଷେଧାଦେଶକୁ ଉଲ୍ଲଂଘନ କରି ଦିଲ୍ଲୀର ଅନେକ ଅଞ୍ଚଳରେ ଦୀପାବଳି ଦିନ ବାଣ ଫୁଟାଇଥିଲେ ଲୋକେ । ବିଳମ୍ବିତ ରାତି ଯାଏଁ ବାଣଫୁଟା ଚାଲିଥିଲା । ନଭେମ୍ବର ୭ରେ ସୁପ୍ରିମକୋର୍ଟ କହିଥିଲେ ଯେ ପ୍ରଦୂଷଣ ସୃଷ୍ଟିକାରୀ ବେରିୟମ ଯୁକ୍ତ ବାଣ ଉପରେ ନିଷେଧାଦେଶ କେବଳ ଦିଲ୍ଲୀ-ଏନସିଆରରେ ସୀମିତ ନୁହେଁ ବରଂ ଦେଶର ସବୁ ରାଜ୍ୟ ପାଇଁ ଉଦ୍ଦିଷ୍ଟ ।