ଏନଡିଟିଭି ବୋର୍ଡରୁ ପ୍ରଣୟ ଓ ରାଧିକା ରୟଙ୍କ ଇସ୍ତଫା | News Room Odisha

ଏନଡିଟିଭି ବୋର୍ଡରୁ ପ୍ରଣୟ ଓ ରାଧିକା ରୟଙ୍କ ଇସ୍ତଫା

ନୂଆଦିଲ୍ଲୀ:ଏନଡିଟିଭିର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ପ୍ରଣୟ ରୟ ଏବଂ ତାଙ୍କ ପତ୍ନୀ ରାଧିକା ରୟ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏନଡିଟିଭିର ନୂଆ ବୋର୍ଡ ପ୍ରଣୟ ରୟ ଏବଂ ରାଧିକା ରୟଙ୍କ ଆରଆରପିଆର୍ ହୋଲଡିଂ ପ୍ରାଇଭେଟ ଲିମିଟେଡ (ଆରଆରପିଆର୍) ର ନିର୍ଦ୍ଦେଶକ ପଦରୁ ଇସ୍ତଫାକୁ ଅନୁମୋଦନ କରିଛି। ଷ୍ଟକ୍ ଏକ୍ସଚେଞ୍ଜକୁ ଏନଡିଟିଭି ଲିମିଟେଡ୍ ଏହି ସୂଚନା ଦେଇଛି | ଏନଡିଟିଭି ଅଧିଗ୍ରହଣ ପାଇଁ ଆଦାନୀ ଗ୍ରୁପର ଖୋଲା ଅଫର ମଧ୍ୟରେ ଏହି ଖବର ଆସିଛି ।

ଆଦାନୀ ଗ୍ରୁପ୍ ନ୍ୟୁଜ୍ ମିଡିଆ କମ୍ପାନୀ ଏନଡିଟିଭିର ପ୍ରମୋଟର୍ ଗ୍ରୁପ୍ ବାହନ୍ ଆରଆରପି ହୋଲଡିଂ ପିଭି ଲିମିଟେଡରେ ୯୯.୫ ପ୍ରତିଶତ ଅଂଶଧନ ହାସଲ କରିଛି । ଏଥିସହ ଏହି ମିଡ଼ିଆ ଗ୍ରୁପର ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି | ଆରଆରପିଆର୍ ହେଉଛି ନୂଆଦିଲ୍ଲୀ ଟେଲିଭିଜନ ଲିମିଟେଡ୍ (ଏନଡିଟିଭି) ର ପ୍ରମୋଟର | ପ୍ରଣୟ ଓ ରାଧିକା ରୟଙ୍କ ଇସ୍ତଫା ପରେ ଏନଡିଟିଭିର ନୂଆ ବୋର୍ଡ ସଞ୍ଜୟ ପୁଗଲିଆ ଏବଂ ସେନ୍ଥିଲ୍ ଚେଙ୍ଗଲବାରାୟଣଙ୍କୁ ଆରଆରପିଆର ହୋଲ୍ଡିଂ ପିଭି ଲିମିଟେଡ୍ ବୋର୍ଡର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛି ।

ଆଦାନୀ ଗ୍ରୁପ୍ ଅଗଷ୍ଟରେ ବିଶ୍ୱପ୍ରଧାନ କମର୍ସିଆଲ ପ୍ରାଇଭେଟ ଲିମିଟେଡ୍ ଅଧିଗ୍ରହଣ ନେଇ ଘୋଷଣା କରିଥିଲା। ଏନଡିଟିଭିର ପ୍ରମୋଟର ଫାର୍ମ ଆରଆରପି ହୋଲଡିଂ ୯୯.୫ ପ୍ରତିଶତ ଇକ୍ୱିଟି ପୁଞ୍ଜିକୁ ଆଦାନୀ ଗ୍ରୁପ୍ ମାଲିକାନାରେ ଥିବା ବିଶ୍ୱପ୍ରଧାନ କମର୍ସିଆଲ୍ (ଭିସିପିଏଲ୍)କୁ ଟ୍ରାନ୍ସଫର କରିଥିବା ସୋମବାର ସୂଚନା ଦେଇଥିଲା । ତେଣୁ ଆଦାନୀ ଗ୍ରୁପ୍ ଦ୍ୱାରା ଏନଡିଟିଭିର ଅଧିଗ୍ରହଣ ନେଇ ସବୁ ଔପଚାରିକତା ପୂରଣ ହୋଇଛି ।